ସର୍ବଦଳୀୟ ବୈଠକରେ ଟିଏମସି ବିଦ୍ରୋହୀ ସାଂସଦମାନଙ୍କୁ ପୃଥକ୍‌ ଆସନ; ପ୍ରତିବାଦରେ ଇଣ୍ଡି ମେଣ୍ଟ ସାଂସଦମାନଙ୍କ ୱାକ୍‌ଆଉଟ୍

ସର୍ବଦଳୀୟ ବୈଠକରେ ଟିଏମସି ବିଦ୍ରୋହୀ ସାଂସଦମାନଙ୍କୁ ପୃଥକ୍‌ ଆସନ; ପ୍ରତିବାଦରେ ଇଣ୍ଡି ମେଣ୍ଟ ସାଂସଦମାନଙ୍କ ୱାକ୍‌ଆଉଟ୍
Samaya Live Desk Picture
Published On
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ସର୍ବଦଳୀୟ ବୈଠକରେ ଆଜି ହାଇଡ୍ରାମା ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି)ର ବିଦ୍ରୋହୀ ସାଂସଦମାନଙ୍କୁ ପୃଥକ ବସିବା ବ୍ୟବସ୍ଥା କରାଯାଇଥିବାକୁ ବିରୋଧ କରି ଇଣ୍ଡି ମେଣ୍ଟ ସାଂସଦମାନେ ବୈଠକରୁ ଉଠି ଯାଇଥିଲେ। ତେବେ କିଛି ସମୟ ପରେ ବିରୋଧୀ ଦଳର ନେତାମାନେ ପୁଣି ବୈଠକକୁ ଫେରି ଆଲୋଚନାରେ ଯୋଗଦେଇଥିଲେ। ସେମାନେ କହିଥିଲେ ଯେ, ଏହି ୱାକ୍‌ଆଉଟ୍ କେବଳ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ ଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁଙ୍କ ଆହ୍ୱାନରେ ସଂସଦ ଆନେକ୍ସ ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ସଦନ ନେତାମାନେ ଯୋଗଦେଇଥିଲେ। ବୈଠକରେ ସରକାରଙ୍କ ବିଧାନଗତ କାର୍ଯ୍ୟସୂଚୀ ଏବଂ ମୌସୁମୀ ଅଧିବେଶନରେ ଆସିବାକୁ ଥିବା ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିରୋଧୀ ଦଳର ୱାକ୍‌ଆଉଟ୍‌ର କାରଣ ହେଲା ସରକାରଙ୍କ ଦ୍ୱାରା ନ୍ୟାସନାଲିଷ୍ଟ କଂଗ୍ରେସ ଅଫ୍ ପ୍ରୋଗ୍ରେସିଭ୍ ଇଣ୍ଡିଆ (ଏନ୍‌ସିପିଆଇ) ନାମକ ଗୋଷ୍ଠୀକୁ ବୈଠକକୁ ଆମନ୍ତ୍ରଣ କରାଯିବା ଏବଂ ସେମାନଙ୍କ ପାଇଁ ପୃଥକ ଟେବୁଲ୍ ବ୍ୟବସ୍ଥା କରାଯିବା। ଏହି ଗୋଷ୍ଠୀରେ ପ୍ରାୟ ୨୦ ଜଣ ବିଦ୍ରୋହୀ ଟିଏମସି ସାଂସଦ ଅଛନ୍ତି। ଏହି ଘଟଣାର ଗୁରୁତ୍ୱ ଏହି କାରଣରୁ ବଢ଼ିଯାଇଛି ଯେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏପର୍ଯ୍ୟନ୍ତ ଏହି ବିଦ୍ରୋହୀ ସାଂସଦମାନଙ୍କୁ ସ୍ୱତନ୍ତ୍ର ସଂସଦୀୟ ଦଳ ଭାବେ ସ୍ୱୀକୃତି ଦେଇନାହାନ୍ତି। ସୂତ୍ର ଅନୁସାରେ, ବିଦ୍ରୋହୀ ସାଂସଦମାନେ ଟିଏମସି ସାଂସଦଙ୍କ ସହ ବସିବାକୁ ଇଚ୍ଛା ପ୍ରକାଶ ନ କରିବାରୁ ସେମାନଙ୍କୁ ପୃଥକ ବସିବା ବ୍ୟବସ୍ଥା କରାଯାଇଥିଲା। ଯଦିଓ ୱାକ୍‌ଆଉଟ୍‌ର ସଠିକ୍ କାରଣ ସରକାରୀ ଭାବେ ସ୍ପଷ୍ଟ କରାଯାଇନଥିଲା, ବିରୋଧୀ ଦଳର ନେତାମାନେ ବାଚସ୍ପତିଙ୍କ ଔପଚାରିକ ସ୍ୱୀକୃତି ବିନା ବିଦ୍ରୋହୀ ଗୋଷ୍ଠୀକୁ ପୃଥକ ସ୍ଥାନ ଦେବାକୁ ବିରୋଧ କରିଥିବା ଜଣାପଡ଼ିଛି। ଟିଏମସି ସାଂସଦ ମହୁଆ ମୈତ୍ର କହିଥିଲେ ଯେ, କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଆମ ଆଦମୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ବାମପନ୍ଥୀ ଦଳ ଏବଂ ଶିବ ସେନା (ୟୁବିଟି) ସମେତ ଇଣ୍ଡି ମେଣ୍ଟର ସମସ୍ତ ଦଳ ଏନ୍‌ସିିପିଆଇ ଉପସ୍ଥିତିକୁ ବିରୋଧ କରି ୱାକ୍‌ଆଉଟ୍ କରିଥିଲେ। ସେ କହିଥିଲେ ଏହି ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ମିଶ୍ରଣକୁ ବାଚସ୍ପତି ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି। ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ୨୦ଟି ଅଯୋଗ୍ୟତା ଆବେଦନ ଏବେ ବି ବିଚାରାଧୀନ ଅଛି। ୯୧ତମ ସଂବିଧାନ ସଂଶୋଧନ ପରେ ପୃଥକ ବ୍ଲକ୍‌ର କୌଣସି ବ୍ୟବସ୍ଥା ନାହିଁ। ତେବେ କେଉଁ ଆଧାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କଲେ? ଆମେ ଏହାର ଦୃଢ଼ ପ୍ରତିବାଦ କରି ପ୍ରତୀକାତ୍ମକ ଭାବେ ୱାକ୍‌ଆଉଟ୍ କରିଛୁ। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଥିଲେ ଯେ, ତାଙ୍କ ଦଳ ‘ସଂବିଧାନର ସୁରକ୍ଷା ପାଇଁ’ ୱାକ୍‌ଆଉଟ୍ କରିଛି। ବାଚସ୍ପତିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଏଭଳି ସ୍ୱୀକୃତି ଦେବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ସେ ଅଭିଯୋଗ କରିଥିଲେ। ଶିବ ସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ମଧ୍ୟ ପ୍ରଶ୍ନ କରିଥିଲେ ଯେ, କେଉଁ ଆଇନଗତ ବ୍ୟବସ୍ଥା ଅନୁଯାୟୀ ବିଦ୍ରୋହୀ ସାଂସଦମାନଙ୍କୁ ପୃଥକ ପରିଚୟ ଦିଆଯାଇଛି। ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଏନ୍.ଡି. ଗୁପ୍ତା କହିଥିଲେ ଯେ, ତାଙ୍କ ଦଳର ୧୦ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭ ଜଣଙ୍କୁ ‘ହାଇଜ୍ୟାକ୍’ କରାଯାଇଛି ଏବଂ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ସେମାନଙ୍କୁ ପୃଥକ ଆସନ ଦିଆଯାଇଛି। ସେ କହିଥିଲେ, ‘ଏହା ଗଣତନ୍ତ୍ରର ଅପହରଣ ଓ ହତ୍ୟା ସଦୃଶ’। ଏହି ବୈଠକରେ ବିରୋଧୀ ଦଳ ପକ୍ଷରୁ ଜୟରାମ ରମେଶ, ଜନ୍ ବ୍ରିଟାସ, ଧର୍ମେନ୍ଦ୍ର ଯାଦବ, ସୌଗତ ରାୟ, ମହୁଆ ମୈତ୍ର, ମହୁଆ ମାଜି, ପ୍ରମୋଦ ତିୱାରୀ, ଏନ୍.କେ. ପ୍ରେମଚନ୍ଦ୍ରନ, ସୁପ୍ରିୟା ସୁଲେ, କେ. ସୁରେଶ, ସଞ୍ଜୟ ଝା, ତିରୁଚି ଶିବା, ଗୌରବ ଗୋଗୋଇ, ଶ୍ରୀକାନ୍ତ ଶିନ୍ଦେ ଓ ଅରବିନ୍ଦ ସାୱନ୍ତ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ସଂସଦୀୟ ବ୍ୟାପୋର ମନ୍ତ୍ରୀ କିରେଣ ରିଜିଜୁ ଏବଂ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିଲା।
Tags: