ସିଜେପି ପ୍ରତିବାଦକାରୀଙ୍କୁ ହଇରାଣ ଅଭିଯୋଗ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ବିରୋଧରେ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ମୋସରେ ଦିଲ୍ଲୀରେ ହୋଇଥିବା ସିଜେପି (କକ୍ରୋଚ୍ ଜନତା ପାର୍ଟି) ପ୍ରତିବାଦରେ ଅଂଶଗ୍ରହଣ କରିଥିବା ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉପରେ ଗୁରୁବାର ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାରେ ନାବାଳିକାଙ୍କ ବାପାଙ୍କୁ ହିନ୍ଦୁତ୍ୱ ପ୍ରଭାବଶାଳୀ ବ୍ୟକ୍ତି ସ୍ୱତନ୍ତ୍ର ଭରଦ୍ୱାଜ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହି ଆକ୍ରମଣ ମାମଲାରେ ଭରଦ୍ୱାଜ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜଣେ ନାବାଳିକାଙ୍କୁ ହଇରାଣ କରାଯାଉଥିବା ସମ୍ପର୍କିତ ଅଭିଯୋଗକୁ ଅଣଦେଖା କରାଯାଇପାରିବ ନାହିଁ। ଏଥିସହ ଅପରାଧିକ ମାମଲା ଆଗକୁ ବଢ଼ାଇବା ପାଇଁ ଜଣେ ଶିଶୁ ଓ ତାଙ୍କ ପରିବାର ଉପରେ କୌଣସି ପ୍ରକାରର ଚାପ ପକାଯିବା ଉଚିତ ନୁହେଁ ବୋଲି କୋର୍ଟ ଜୋର ଦେଇଛନ୍ତି।ଖଣ୍ଡପୀଠ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ କର୍ତ୍ତୃପକ୍ଷଙ୍କୁ ଏହି ଅଭିଯୋଗ ସମ୍ପର୍କରେ ରୁଜୁ ହୋଇଥିବା ଏତଲାର ବିବରଣୀ ଦେବାକୁ କହିଛନ୍ତି। ଏଥିସହ ନାବାଳିକା ଓ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା, ଏବଂ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଅଭିଯୁକ୍ତମାନଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପର ସୂଚନା ମଧ୍ୟ ମାଗିଛନ୍ତି। ସିଜେଆଇ ସୂର୍ଯ୍ୟ କାନ୍ତ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ନାବାଳିକାଙ୍କ ଏତଲା ଉପରେ ଉପଯୁକ୍ତ ପଦକ୍ଷେପ ନିଆଯାଉଥିବା ସୁନିଶ୍ଚିତ କରିବାକୁ କହିଛନ୍ତି।
ଶୁଣାଣି ସମୟରେ ନାବାଳିକାଙ୍କ ଆଇନଜୀବୀ କହିଥିଲେ ଯେ ଏତଲା ରୁଜୁ ହୋଇଥିଲେ ମଧ୍ୟ, ଜୁନ୍ ୨୩ରେ ଭରଦ୍ୱାଜଙ୍କ ସହ ଆକ୍ରମଣରେ ସାମିଲ ଥିବା ଲୋକମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନାହିଁ।ଆଇନଜୀବୀ କହିଥିଲେ ଯେ ଆକ୍ରମଣକାରୀମାନଙ୍କ ସହିତ ଚାରିଜଣ ପୋଲିସ କର୍ମଚାରୀ ଥିବାର ଭିଡିଓ ରହିଛି। ଏହାସହ ନାବାଳିକାଙ୍କ ଘର ଉପରକୁ ପଥର ମଧ୍ୟ ଫିଙ୍ଗାଯାଇଥିବା ସେ ଅଭିଯୋଗ କରିଥିଲେ। ଆଇନଜୀବୀ କହିଥିଲେ, ‘ଜଣେ ବ୍ୟକ୍ତି ଭିଡିଓରେ ଗର୍ବର ସହ କହିଛନ୍ତି ଯେ ସେ ଏହି କାର୍ଯ୍ୟ କରିଛନ୍ତି। ଯଦି ସେହି ଶିଶୁ ସହ କିଛି ଅଘଟଣ ଘଟେ, ତେବେ ଆମେ ସେହି କ୍ଷତିକୁ ଆଉ ପଛକୁ ଫେରାଇ ପାରିବୁ ନାହିଁ। ଏହାର ଉତ୍ତରରେ ସିଜେଆଇ କାନ୍ତ କହିଥିଲେ ଯେ ଯଦି ନାବାଳିକାଙ୍କ ବିରୋଧରେ ହିଂସା ଅଭିଯୋଗ ଥିବା ଲୋକମାନେ ଏବେ ବି ବାହାରେ ଘୁରୁଛନ୍ତି ଏବଂ ତାଙ୍କୁ ଧମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହି ମାମଲାକୁ ତୁରନ୍ତ ଗୁରୁତ୍ୱ ଦେବା ଆବଶ୍ୟକ। ସିଜେଆଇ କହିଥିଲେ ‘ଯଦି ଶିଶୁମାନଙ୍କ ବିରୋଧରେ ହିଂସା କରୁଥିବା ସମାଜବିରୋଧୀ ତତ୍ତ୍ୱମାନେ ମୁକ୍ତ ଭାବେ ଘୁରୁଛନ୍ତି ଏବଂ ଶିଶୁକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହା ଏକ ଗୁରୁତର ବିଷୟ। ଏଥିରେ ତୁରନ୍ତ ପଦକ୍ଷେପ ନେବା ଯଥାର୍ଥ। ଏଥିରେ ଦ୍ୱିତୀୟ ମତ ଥାଇପାରେ ନାହିଁ । ସେ ଆହୁରି କହିଥିଲେ, ‘ଶିଶୁ ହେଉଛି ଶିଶୁ। ତାଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଇପାରେ। ସ୍ଥାନୀୟ ପୋଲିସ ଏହି ଘଟଣାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ନେଇପାରନ୍ତି।
Tags:




