ଆମେରିକା ଗସ୍ତରେ ଯିବେ ଜୟଶଙ୍କର
ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ସପ୍ତାହରେ ''କ୍ରିଟିକାଲ୍ ମିନେରାଲ୍ସ'' ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ । ୱାସିଂଟନ୍ ଡିସିରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦ୍ୱାରା ଆୟୋଜିତ ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ଏହି ଅବସରରେ ଜୟଶଙ୍କର ଓ ରୁବିଓ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହି ବୈଠକର ଲକ୍ଷ୍ୟ ହେଉଛି ବିଶ୍ୱର ଦେଶଗୁଡ଼ିକୁ ଏକତ୍ରିତ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ପାଇଁ ସହଯୋଗ ବୃଦ୍ଧି କରିବା, ଯେଉଁଥିରେ ଲିଥିୟମ୍, କୋବାଲ୍ଟ ଓ ନିକେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ, ଯାହା ବୈଦ୍ୟୁତିକ ଯାନବାହନ ଏବଂ ନବୀକରଣୀୟ ଶକ୍ତି ଭିତ୍ତିଭୂମି ଠାରୁ ଆରମ୍ଭ କରି ପ୍ରତିରକ୍ଷା ବ୍ୟବସ୍ଥାର ମୂଳଦୁଆ। ଏହି ଉଚ୍ଚସ୍ତରୀୟ ବୈଠକ ଏପରି ଏକ ସମୟରେ ହେଉଛି, ଯେତେବେଳେ କି ଟ୍ରେଡ୍ ଡିଲକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବିଶ୍ୱାସ କରାଯାଉଛି ଯେ ଜୟଶଙ୍କରଙ୍କ ଆମେରିକା ଗସ୍ତ ଭାରତ ଓ ଆମେରିକା ସମ୍ପର୍କରେ ଉତ୍ତେଜନା କମ୍ କରିବା ପାଇଁ ଏକ ପ୍ରୟାସ ଭାବରେ କାର୍ଯ୍ୟ କରିବ।



