ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆରବିଆଇ

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆରବିଆଇ
Samaya Live News Picture
Published On
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଚଳିତ ମୁଦ୍ରାନୀତି ବୈଠକରେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି । ବର୍ତ୍ତମାନ ରେପୋ ହାର ୫.୨୫% ସ୍ତରରେ ସ୍ଥିର ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ହାର ହ୍ରାସ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଗଭର୍ଣ୍ଣର । ପୂର୍ବ ବୈଠକରେ ମଧ୍ୟ ଆରବିଆଇ ସୁଧ ହାରକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲା। 
 
ସୂଚନାଯୋଗ୍ୟ , ଇରାନ ସଙ୍କଟ ପୁଣି ଥରେ ମୁଦ୍ରାସ୍ଫୀତିର ବିପଦ ସୃଷ୍ଟି କରୁଛି । ତେଣୁ, ସୁଧ ହାର ହ୍ରାସ କରିବା ଅପେକ୍ଷା ଆର୍ଥିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଅଭିବୃଦ୍ଧି ବଜାୟ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ୨୦୨୫ ପରଠାରୁ ଆରବିଆଇ ମୋଟ ୧୨୫ ବେସିସ୍ ପଏଣ୍ଟ ସୁଧ ହାର ହ୍ରାସ କରିସାରିଛି । ୨୦୧୯ ପରଠାରୁ ଏହା କେନ୍ଦ୍ରୀୟ ବ୍ୟାଙ୍କର ସବୁଠାରୁ ଦ୍ରୁତ ହାର ହ୍ରାସ ପ୍ରକ୍ରିୟା। ଏହା ପୂର୍ବରୁ ଡିସେମ୍ବର ୨୦୨୫ରେ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ଆର୍ଥିକ ବର୍ଷ ୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୬.୭% ରୁ ୬.୯% ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୬.୮% ରୁ ୭% କୁ ବୃଦ୍ଧି କରାଯାଇଛି । ଏମ୍‌ପିସି (MPC) ପକ୍ଷରୁ ଆର୍ଥିକ ବର୍ଷ ୨୭ର ପ୍ରଥମ ପର୍ଯ୍ୟାୟ ପାଇଁ ମୁଦ୍ରାସ୍ଫୀତି ଲକ୍ଷ୍ୟ ୪.୦% ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪.୨% ଧାର୍ଯ୍ୟ କରାଯାଇଛି । ଆର୍ଥିକ କାର୍ଯ୍ୟକଳାପ ଦୃଢ଼ ରହିବା ସହ ବଜାର ସ୍ଥିତିକୁ ପରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ନୀତି ଆପଣାଇଥିବା ଜଣାପଡ଼ିଛି।

 

Tags: