୨୦୨୬ରେ ୭୫ ରାଜ୍ୟସଭା ଆସନରେ ଲଢେଇ

୨୦୨୬ରେ ୭୫ ରାଜ୍ୟସଭା ଆସନରେ ଲଢେଇ
Samaya Live Desk Picture
Published On

ନୂଆଦିଲ୍ଲୀ: ୨୦୨୬ରେ କେବଳ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ହାଇଭୋଲଟେଜ୍ ବିଧାନସଭା ନିର୍ବାଚନ ହେବ ନାହିଁ, ବରଂ ୭୫ଟି ରାଜ୍ୟସଭା ଆସନରେ ନିର୍ବାଚନ ମଧ୍ୟ ହେବ। ଏପ୍ରିଲ୍, ଜୁନ୍ ଓ ନଭେମ୍ବର ମାସରେ ରାଜ୍ୟସଭା ଆସନଗୁଡ଼ିକ ଖାଲି ପଡ଼ିବ, ଯାହା ଏନ୍‌ଡିଏ ଓ ଇଣ୍ଡି- ମେଣ୍ଟ ମଧ୍ୟରେ କ୍ଷମତା ସନ୍ତୁଳନକୁ ପୁନଃ ଆକାର ଦେଇପାରେ। ବିହାରରୁ ପାଞ୍ଚଟି ଓ ଉତ୍ତରପ୍ରଦେଶରୁ ଦଶଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ଏହା ବ୍ୟତୀତ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଅନେକ ଉତ୍ତର-ପୂର୍ବ ରାଜ୍ୟରେ ଆସନ ଖାଲି ପଡ଼ିବ। ଏହିସବୁ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଫଳାଫଳ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଉପରେ ପଡ଼ିବ। ୨୦୨୬ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା, ଦିଗ୍‌ବିଜୟ ସିଂହ, ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଏଲ୍ ବର୍ମା, ରବନୀତ ସିଂହ ବିଟ୍ଟୁ ଓ ଜର୍ଜ କୁରିୟାନ୍ ପ୍ରମୁଖଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ନେତାମାନଙ୍କର ରାଜନୈତିକ ଭାଗ୍ୟରେ ଅନିଶ୍ଚିତତା ରହିଛି, କାରଣ ସେମାନେ ସଂସଦକୁ ଫେରିବେ ନା ନୂତନ ଚେହେରା ସେମାନଙ୍କ ସ୍ଥାନ ନେବ ତାହା ଦେଖିବାକୁ ବାକି ରହିଛି। ଏପ୍ରିଲରୁ ଜୁନ୍ ମଧ୍ୟରେ ଓ ପୁଣି ନଭେମ୍ବର ୨୦୨୬ରେ, ରାଜ୍ୟସଭାରେ ମହାରାଷ୍ଟ୍ରରୁ ସାତୋଟି ଓ ବିହାରରୁ ପାଞ୍ଚଟି ଆସନ ଖାଲି ପଡ଼ିବ। ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଅତିରିକ୍ତ ଆସନ ଖାଲି ପଡ଼ିବ। ନଭେମ୍ବର ସୁଦ୍ଧା ଉତ୍ତରପ୍ରଦେଶର ଦଶଟି ଆସନ ମଧ୍ୟ ଖାଲି ହେବାକୁ ଯାଉଛି। ମଧ୍ୟପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ମିଜୋରାମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡର ସଦସ୍ୟମାନଙ୍କ କାର୍ଯ୍ୟକାଳ ମଧ୍ୟ ସମାନ ସମୟ ମଧ୍ୟରେ ଶେଷ ହେବ।   

Tags: