ରାହୁଲ ହେଉଛନ୍ତି ଜଣେ ‘କ୍ରାକର ରକେଟ୍’, ଯେତେ ଉଦ୍ୟମ କଲେ ବି ବିଫଳ : ଯୋଗୀ
ଲକ୍ଷ୍ନୌ : ରାଜନୀତିର ମଇଦାନରେ ଯେତେଥର ଉଡ଼ାଣ ଭରିବାକୁ ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି ରାହୁଲ ଗାନ୍ଧି। ଦୀପାବଳିରେ ଫୁଟୁଥିବା ରକେଟ୍ର ଉଦାହରଣ ଦେଇ କଂଗ୍ରେସ ନେତାଙ୍କୁ ଏଭଳି କଟାକ୍ଷ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାହୁଲଙ୍କୁ ଜାତୀୟ ରାଜନୀତିରେ ଜଣେ ସଫଳ ନେତା ଭାବେ ପ୍ରତିଷ୍ଠା କରିବାକୁ କଂଗ୍ରେସର ବାରମ୍ବାର ଉଦ୍ୟମକୁ ନେଇ ସେ ତାତ୍ସଲ୍ୟ କରିଛନ୍ତି। ଏଥିସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ନିଶାଣ କରି ଯୋଗୀ କହିଛନ୍ତି, ଗଣତନ୍ତ୍ରରେ ପ୍ରତିଶୋଧ ନୁହେଁ, ନିର୍ବାଚନ ହିଁ ପରିବର୍ତ୍ତନର ମାଧ୍ୟମ ବୋଲି କହିଛନ୍ତି। ବୁଧବାର ଗୋରଖପୁରରେ ଏନ୍ଡିଏ ପକ୍ଷରୁ ଆୟୋଜିତ ‘ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ’ ରାଲିରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଉପରେ ବର୍ଷିଥିଲେ। ରାହୁଲ ଗାନ୍ଧିଙ୍କୁ ନେଇ ସେ କହିଥିଲେ, “ମୁଁ ବେଳେବେଳେ ଭାବେ, କଂଗ୍ରେସ ଆଉ କେତେଥର ରାହୁଲ ଗାନ୍ଧିଙ୍କୁ ଲଞ୍ଚ୍ କରିବ। ଦୀପାବଳିରେ ଆପଣମାନେ ରକେଟ୍ ଫୁଟାଉଥିବା ଦେଖିଥିବେ। କିଛି ରକେଟ୍ର ବତୀ ଜଳିବା ପରେ ମଧ୍ୟ ସେଗୁଡ଼ିକ ଆକାଶକୁ ଉଠିପାରନ୍ତି ନାହିଁ। ଲୋକେ ଆକାଶକୁ ଚାହିଁ ଅପେକ୍ଷା କରିଥାନ୍ତି, କିନ୍ତୁ ରକେଟ୍ଟି ସେଇଠି ପଡ଼ି ରହିଥାଏ। କେବଳ ଧୂଆଁ ବାହାର କରି ଶେଷରେ ଲିଭିଯାଏ। ରାହୁଲ ଗାନ୍ଧିଙ୍କ ଅବସ୍ଥା ମଧ୍ୟ ଠିକ୍ ସେହିଭଳି। କଂଗ୍ରେସ ରାହୁଲଙ୍କୁ କିଭଳି ପର୍ଯ୍ୟାୟକ୍ରମେ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇ ଆଗକୁ ଆଣିଛି, ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯୋଗୀ। ୨୦୦୪ରେ ରାହୁଲ ଲୋକସଭା ସାଂସଦ ହୋଇଥିଲେ। ୨୦୦୭ରେ ଦଳର ସାଧାରଣ ସମ୍ପାଦକ, ୨୦୧୩ରେ ଉପାଧ୍ୟକ୍ଷ ଏବଂ ୨୦୧୭ରେ କଂଗ୍ରେସ ସଭାପତି ହୋଇଥିଲେ। ଏହାପରେ ମଧ୍ୟ ତାଙ୍କୁ ଜଣେ ସଫଳ ଜାତୀୟ ନେତା ଭାବେ ପ୍ରତିଷ୍ଠା କରିବାରେ କଂଗ୍ରେସ ବିଫଳ ହୋଇଥିବା ସେ କହିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଆମେଥି ଆସନରୁ ରାହୁଲଙ୍କ ପରାଜୟ କଥା ଉଠାଇ ଯୋଗୀ କହିଥିଲେ ଯେ, ଏହାପରେ ତାଙ୍କୁ ରାଜନୈତିକ ଭାବେ ଆଗକୁ ନେବା ପାଇଁ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା, ନ୍ୟାୟ ଯାତ୍ରା ଏବଂ ଅଧିକାର ଯାତ୍ରା ଭଳି ବିଭିନ୍ନ ଅଭିଯାନ ଆରମ୍ଭ କରିଥିଲା। ରାହୁଲଙ୍କ ବୟସକୁ ନେଇ ମଧ୍ୟ କଟାକ୍ଷ କରିଥିଲେ ଯୋଗୀ। ସେ କହିଥିଲେ, ‘ରାହୁଲ ଗାନ୍ଧିଙ୍କୁ ଏବେ ୫୬ ବର୍ଷ ହୋଇଗଲାଣି। କିନ୍ତୁ ତାଙ୍କୁ ଏବେ ବି ଜଣେ ଯୁବ ନେତା ଭାବେ ଉପସ୍ଥାପନ କରାଯାଉଛି। ଏହି ରକେଟ୍ ଆଉ କେବେ ବି ଉଡ଼ିବାକୁ ଯାଉନାହିଁ। ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବୟାନକୁ ନେଇ ମଧ୍ୟ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଥିଲେ। ଆଗାମୀ ପିଢ଼ି ପ୍ରତ୍ୟେକ ଲାଠିମାଡ଼ ଓ ଆଘାତର ପ୍ରତିଶୋଧ ନେବ ବୋଲି ଅଖିଳେଶ କହିଥିବା ଉଲ୍ଲେଖ କରି ଯୋଗୀ କହିଥିଲେ ଯେ, ଗଣତନ୍ତ୍ରରେ ପ୍ରତିଶୋଧର କୌଣସି ସ୍ଥାନ ନାହିଁ। ଏଠାରେ ଜନସାଧାରଣ ନିର୍ବାଚନ ମାଧ୍ୟମରେ ନିଜର ମତ ପ୍ରକାଶ କରି ପରିବର୍ତ୍ତନ ଆଣିଥାନ୍ତି। ‘ଗଣତନ୍ତ୍ରରେ ପ୍ରତିଶୋଧ ନୁହେଁ, ଲୋକେ ପରିବର୍ତ୍ତନ ଆଣନ୍ତି,’ ବୋଲି କହିବା ସହ ୨୦୧୪ରେ ଦେଶରେ ଏବଂ ୨୦୧୭ରେ ଉତ୍ତରପ୍ରଦେଶରେ ହୋଇଥିବା ନିର୍ବାଚନୀ ପରିବର୍ତ୍ତନର ଉଦାହରଣ ଦେଇଥିଲେ ସେ।ଏହି ରାଲିରେ ବିଜେପିର ଜାତୀୟ ସଭାପତି ନୀତିନ ନବୀନ, ଉତ୍ତରପ୍ରଦେଶ ବିଜେପି ସଭାପତି ପଙ୍କଜ ଚୌଧୁରୀଙ୍କ ସମେତ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ।




