ଆସାମରେ ଦଳ ଛାଡ଼ିଲେ କଂଗ୍ରେସ ପ୍ରାର୍ଥୀ
ଗୁଆହାଟୀ: ଆସାମ ସମେତ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ତେବେ ଏହାରି ମଧ୍ୟରେ ଆସାମରେ ଆଜି କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଭୋଟ ଆରମ୍ଭ ହେବା ପୂର୍ବରୁ ଉଦଲଗୁରି ଆସନର କଂଗ୍ରେସ ପ୍ରାର୍ଥୀ ସୁରେନ୍ ଦାୟମାରି ତାଙ୍କ ନାଁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିସହ ସେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସୁରେନ୍ କଂଗ୍ରେସ ହାତ ଛାଡ଼ୁଥିବା କଥା ଗଣମାଧ୍ୟମ ସାମ୍ନାରେ ଘୋଷଣା କରିଛନ୍ତି। ତେବେ ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ କହିଛନ୍ତି, ସୁରେନ୍ ଦାୟମାରି ତାଙ୍କ ନାଁ ନିର୍ବାଚନରୁ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଇଭିଏମ୍ରେ ତାଙ୍କ ନାଁ ରହିବ ଏବଂ ମତଦାତା ତାଙ୍କୁ ଭୋଟ ଦେଇପାରିବେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଚାଲି ଯାଇଥିବାରୁ ଇଭିଏମ୍ରୁ ତାଙ୍କ ନାଁ ହଟା ଯାଇପାରିପାରିବ ନାହିଁ। ଏହି ଘଟଣାକୁ ନେଇ କଂଗ୍ରେସ ପାର୍ଟିକୁ ଉପହାସର ପାତ୍ର ହେବାକୁ ପଡ଼ିଛି। ତେବେ କଂଗ୍ରେସ ପ୍ରବକ୍ତା କହିଛନ୍ତି, ସୁରେନ୍ ଗଣମାଧ୍ୟମରେ ଇସ୍ତଫା କଥା କହୁଥିଲେ ମଧ୍ୟ ଦଳକୁ କୌଣସି ଇସ୍ତଫା ପତ୍ର ଦେଇନାହାନ୍ତି। ଅନ୍ୟପକ୍ଷେ ସୁରେନ କହିଛନ୍ତି, କଂଗ୍ରେସରେ ରହିଲେ କିଛି ଲାଭ ନାହିଁ। କଂଗ୍ରେସ କେବଳ ମିଆଁଙ୍କ ପାଇଁ କାମ କରୁଛି। ଦଳ ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ କିଛି କରୁନାହିଁ ବୋଲି ସୁରେନ ଅଭିଯୋଗ କରିଛନ୍ତି।
Tags:



