‘ଚାକିରି ଛାଡ଼, ନହେଲେ ମୃତ୍ୟୁ’: ଏଲ୍‌ଇଟିର ନୂଆ ଧମକରେ ୭ ହଜାର କାଶ୍ମୀରୀ ପଣ୍ଡିତ ଚିନ୍ତିତ

‘ଚାକିରି ଛାଡ଼, ନହେଲେ ମୃତ୍ୟୁ’:  ଏଲ୍‌ଇଟିର ନୂଆ ଧମକରେ ୭ ହଜାର କାଶ୍ମୀରୀ ପଣ୍ଡିତ ଚିନ୍ତିତ
Samaya Live Desk Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଅଧୀନରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ଧମକ ଦିଆଯାଇଥିବା ନୂଆ ଚିଠି ସାମ୍ନାକୁ ଆସିଛି। ଏହି ଧମକ ସହିତ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଅନଲାଇନ୍‌ରେ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଲସ୍କର ଏ ତଏବା (ଏଲ୍‌ଇଟି) ସହ ଜଡ଼ିତ ୟୁନାଇଟେଡ୍‌ ଲିବରେସନ୍‌ କାଉନସିଲ୍‌ (ୟୁଏଲ୍‌ସି) ପକ୍ଷରୁ ଜାରି ଏହି ଧମକପୂର୍ଣ୍ଣ ଚିଠିଗୁଡ଼ିକରେ କାଶ୍ମୀରୀ ପଣ୍ଡିତ ପିଏମ୍‌ ପ୍ୟାକେଜ କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବାକୁ, ନହେଲେ ମାରାତ୍ମକ ପରିଣାମ ଭୋଗିବାକୁ ଚେତାବନୀ ଦିଆଯାଇଛି। ଏହି ଘଟଣା ପରେ କର୍ମଚାରୀମାନଙ୍କ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ବଢ଼ିଛି। ସୁରକ୍ଷା ବ୍ୟବସ୍ଥାର ଅଡିଟ୍, ଏତଲା ରୁଜୁ ଏବଂ ପଣ୍ଡିତ କର୍ମଚାରୀମାନଙ୍କ ପାଇଁ ଅଧିକ ସୁରକ୍ଷା ଦାବି ଜୋର ଧରିଛି। ମୁମ୍ବାଇରେ ରହୁଥିବା ଜଣେ କାଶ୍ମୀରୀ ପଣ୍ଡିତ, ଯାହାଙ୍କ ପରିବାର ଶ୍ରୀନଗରରେ ରହୁଛନ୍ତି ସେ କହିଛନ୍ତି ଯେ ୧୯୯୦ ଦଶକରେ ମଧ୍ୟ ଏଭଳି ଧମକ ଦିଆଯାଉଥିଲା। ପାର୍ଥକ୍ୟ କେବଳ ଏତିକି ଯେ ସେତେବେଳେ ଇଣ୍ଟରନେଟ୍ ନଥିଲା। ଲୋକଙ୍କ ତାଲିକା ଟାଇପ୍ କରି କାନ୍ଥରେ ଲଗାଯାଉଥିଲା। ସେପ୍ଟେମ୍ବର ୧ ତାରିଖରେ ମିଳିଥିବା ଧମକ ପରେ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ପ୍ରାୟ ୭,୦୦୦ ପିଏମ୍‌ ପ୍ୟାକେଜ୍‌ କର୍ମଚାରୀଙ୍କ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ବଢ଼ିଛି। ଅଭିଯୋଗ ଅନୁଯାୟୀ, କିଛି କର୍ମଚାରୀଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର, ଘର ଠିକଣା ଏବଂ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଅନଲାଇନ୍‌ରେ ପ୍ରକାଶ କରାଯାଇଛି। କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର କିଛି ସଦସ୍ୟ କହିଛନ୍ତି ଯେ ଗତ କିଛି ସମୟ ଧରି ଏପରି ଧମକ ବଢ଼ିଛି। ଦିଲ୍ଲୀରେ ରହୁଥିବା ଜଣେ କାଶ୍ମୀରୀ ପଣ୍ଡିତ ଆଇନଜୀବୀ କହିଛନ୍ତି ଯେ ତାଙ୍କ ପରିବାର ସରକାରୀ କର୍ମଚାରୀ ନୁହେଁ, ବ୍ୟବସାୟ ସହ ଜଡ଼ିତ। କିନ୍ତୁ ଏହା କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଧମକ ହୋଇଥିଲେ ମଧ୍ୟ, କାଶ୍ମୀରରେ କାଶ୍ମୀରୀ ପଣ୍ଡିତମାନେ ସୁରକ୍ଷିତ ନୁହନ୍ତି ବୋଲି ତାହାକୁ ଅଣଦେଖା କରାଯାଇପାରିବ ନାହିଁ। ସେପ୍ଟେମ୍ବର ୭ ତାରିଖରେ ଏକ୍ସରେ ଏକ ପୋଷ୍ଟ କରି ସମ୍ପ୍ରଦାୟର ସ୍ୱର ଭାବେ ପରିଚିତ ସାବା କୌଲ୍ ଏହି ଘଟଣାକୁ ଏକ ‘ବିଶାଳ ଏବଂ ଚିନ୍ତାଜନକ ସୁରକ୍ଷା ସଙ୍କଟ’ ବୋଲି କହିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ୟୁଏଲ୍‌ସି କାଶ୍ମୀରୀ ପଣ୍ଡିତ ପିଏମ୍‌ ପ୍ୟାକେଜ କର୍ମଚାରୀମାନଙ୍କୁ ସିଧାସଳଖ ଧମକ ଦେଇଛି। ସେମାନଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର, ଘର ଠିକଣା ଓ ଗାଡ଼ିର ତଥ୍ୟ ଲିକ୍ ହୋଇଥିବା ମଧ୍ୟ ସେ ଦାବି କରିଥିଲେ।

Tags: