ଆପ୍‌ ନେତା ଲକି ଓବରୟଙ୍କୁ ଗୁଳିକରି ହତ୍ୟା

ଆପ୍‌ ନେତା ଲକି ଓବରୟଙ୍କୁ ଗୁଳିକରି ହତ୍ୟା
Samaya Live Desk Picture
Published On

ଜଳନ୍ଧର: ପଞ୍ଜାବର ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଲକି ଓବରୟଙ୍କୁ ଶୁକ୍ରବାର ସକାଳେ ଜଳନ୍ଧରଠାରେ ଏକ ଗୁରୁଦ୍ବାରା ବାହାରେ ଅତି ଜଘନ୍ୟ ଭାବେ ଗୁଳିକରି ହତ୍ୟା କରାଯାଇଛି।  ମଡେଲ ଟାଉନସ୍ଥିତ ଗୁରଦ୍ବାର ସାହେବଠାରେ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଆତତାୟୀମାନେ ଏକ ସ୍କୁଟରରେ ଆସି ଲକି ଓବରୟଙ୍କ ଉପରକୁ ୧୫ରୁ ୧୬ ରାଉଣ୍ଡ ଗୁଳିଚାଳନା କରିଥିଲେ। ଲକି ତାଙ୍କ ଗାଡ଼ିରେ ବସିଥିବାବେଳେ ୫ଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଗୁରୁତର ଅବସ୍ଥାରେ ଲକିଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଲକି ତାଙ୍କ ଗାଡ଼ି ଗୁରୁଦ୍ବାରା ବାହାରେ ପାର୍କିଂ କରୁଥିବାବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।   ଲକି ଓବରୟଙ୍କ ପତ୍ନୀ ପୌର ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ପଞ୍ଜାବରେ ଦିନ ଦ୍ବିପହରରେ ଏପରି ଭାବେ ହତ୍ୟାକାଣ୍ଡ ଘଟୁଥିବାରୁ ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।   ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ପ୍ରଶାସନରେ ଆଇନକାନୁନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବାଜୱା କହିଛନ୍ତି। ଶାସକ ଦଳର ନେତା ଯେଉଁଠି ସୁରକ୍ଷିତ ନାହାନ୍ତି, ଜନସାଧାରଣ କ’ଣ ଆଶା ରଖିବେ ବୋଲି  ସେ କହିଛନ୍ତି। ବିଜେପି ଜାତୀୟ ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି, ପଞ୍ଜାବରେ ଆଇନକାନୁନ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଆପ୍‌ ପଞ୍ଜାବ ପାଇଁ ପାପରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।  

Tags: