ପାଟନାରେ ଅନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଜଳପ୍ରୟୋଗ କଲା ପୁଲିସ

ପାଟନାରେ ଅନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଜଳପ୍ରୟୋଗ କଲା ପୁଲିସ
Samaya Live Desk Picture
Published On

ପାଟନା : ମଙ୍ଗଳବାର ପାଟନାରେ ଶତାଧିକ ଛାତ୍ର ଓ ଚାକିରି ଆଶାୟୀ ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ କରିଥିଲେ। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ପ୍ରତିବାଦକାରୀମାନେ ୭୦ତମ ବିପିଏସ୍‌ପି ପରୀକ୍ଷା ବାତିଲ କରିବା ପାଇଁ ଦାବି କରୁଛନ୍ତି। ଏଥି ସହ ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ଅନିୟମିତତା ଏବଂ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି। ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ରାସ୍ତାରେ ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଆନ୍ଦୋଳନକାରୀ ଆଗକୁ ବଢ଼ିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ପୁଲିସ୍ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ବିଭିନ୍ନ ସ୍ଥାନରେ ଲାଠିଚାର୍ଜ କରିବା ସହ ପ୍ରତିବାଦକାରୀମାନଙ୍କୁ ଛତ୍ରଭଙ୍ଗ କରିବା ପାଇଁ ୱାଟର କ୍ୟାନନ୍‌ ବ୍ୟବହାର କରିଥିଲା। ଏହା ସତ୍ତ୍ୱେ ଛାତ୍ରମାନେ ମାର୍ଚ୍ଚ ଜାରି ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଆହୁରି ନିକଟତର ହୋଇଥିଲା। ସକାଳ ପ୍ରାୟ ୧୦ଟାରେ ଗାନ୍ଧୀ ମୈଦାନରୁ ମାର୍ଚ୍ଚ ଆରମ୍ଭ ହୋଇଥିଲା। ଛାତ୍ରମାନେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଉଥିଲେ। ଏହି ଆନ୍ଦୋଳନ ପାଟନାର ଗର୍ଦ୍ଦନୀବାଘ ଅଞ୍ଚଳରେ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ନେଇ ଛାତ୍ର ଓ ଚାକିରି ଆଶାୟୀମାନଙ୍କ ଚାଲିଥିବା ପ୍ରତିବାଦର ଏକ ଅଂଶ। ପ୍ରତିବାଦର ଗୋଟିଏ ଦିନ ପୂର୍ବରୁ ଛାତ୍ର ପ୍ରତିନିଧିମାନେ ବିହାର ସରକାରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାକୁ ସକାରାତ୍ମକ ବୋଲି କୁହାଯାଇଥିଲେ ମଧ୍ୟ ପ୍ରତିବାଦକାରୀମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଗାନ୍ଧୀ ମୈଦାନରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ମାର୍ଚ୍ଚ କରିବାକୁ ଘୋଷଣା କରିଥିଲେ। ଛାତ୍ର ନେତା ସୌରଭ କୁମାର କହିଥିଲେ ଯେ ସରକାରଙ୍କ ସହ ଆଲୋଚନା ‘ସକାରାତ୍ମକ’ ଥିଲା। କିନ୍ତୁ ଏକକ ପରୀକ୍ଷା କରାଇବା ସମେତ ନିଜ ଦାବିଗୁଡ଼ିକ ପୂରଣ ପାଇଁ ପ୍ରତିବାଦ ଜାରି ରହିବ ବୋଲି ସେ କହିଥିଲେ। ମଙ୍ଗଳବାର ପ୍ରତିବାଦ ସମୟରେ ଜଣେ ଛାତ୍ର ନେତା କହିଥିଲେ, “ଆମେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟିବାକୁ ଚାହୁଁଛୁ, କାରଣ ସରକାର ଆମକୁ ବାରମ୍ବାର କନିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ କହୁଛନ୍ତି ଏବଂ ତା’ପରେ ମାମଲାଟି ସେଠାରେ ଶେଷ ହୋଇଯାଉଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାର ସୁଯୋଗ ଦିଆଯାଏ ଏବଂ ଏକ ସରକାରୀ ନୋଟିସ୍ ଜାରି କରାଯାଏ, ତେବେ ଆମେ ଆମର ପ୍ରତିବାଦ ଶେଷ କରିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ଆଲୋଚନା ପାଇଁ ଏକ ପ୍ରତିନିଧିମଣ୍ଡଳ ଗଠନ କରିବାକୁ ପ୍ରତିବାଦକାରୀମାନଙ୍କୁ କୁହାଯାଇଥିଲା। କିନ୍ତୁ ସେମାନେ ସ୍ପଷ୍ଟ କରିଦେଇଥିଲେ ଯେ କେବଳ ମୁଖ୍ୟମନ୍ତ୍ରୀଙ୍କୁ, ନଚେତ ବିକଳ୍ପ ଭାବେ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବେ।

Tags: