ଭାରତୀୟ ସଂସ୍କୃତି ‘ଖାଅ, ପିଅ ଓ ମଉଜ କର’ରେ ବିଶ୍ୱାସ କରେନି, ସଞ୍ଚୟ ଓ ଆର୍ଥିକ ଶୃଙ୍ଖଳା ଉପରେ ମୋଦୀଙ୍କ ଗୁରୁତ୍ୱ

ଭାରତୀୟ ସଂସ୍କୃତି ‘ଖାଅ, ପିଅ ଓ ମଉଜ କର’ରେ ବିଶ୍ୱାସ କରେନି, ସଞ୍ଚୟ ଓ ଆର୍ଥିକ ଶୃଙ୍ଖଳା ଉପରେ ମୋଦୀଙ୍କ ଗୁରୁତ୍ୱ
Samaya Live Desk Picture
Published On

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ସଞ୍ଚୟ। ‘ଖାଅ, ପିଅ ଓ ମଉଜ କର’ ନୀତି ନୁହେଁ। ଦେଶରେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ବଜାୟ ରଖିବାକୁ ହେଲେ ଲୋକଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ଓ ଆର୍ଥିକ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ଜରୁରୀ। ଗୁରୁବାର ନିଜ ମନ୍ତ୍ରିପରିଷଦର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିପରିଷଦର ପ୍ରାୟ ସାଢ଼େ ତିନି ଘଣ୍ଟାର ବୈଠକରେ ଦାରିଦ୍ର୍ୟ ଦୂରୀକରଣ, ନିଶାଦ୍ରବ୍ୟର ପ୍ରସାର ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସୂତ୍ର ଅନୁସାରେ, ମୋଦୀ କହିଥିଲେ ଯେ, ଅନିୟନ୍ତ୍ରିତ ଖର୍ଚ୍ଚ ଯୋଗୁଁ ଦାରିଦ୍ର୍ୟରୁ ମୁକୁଳିଥିବା ଲୋକମାନେ ପୁଣି ଗରିବୀର ଚକ୍ରରେ ଫସିଯିବାର ଆଶଙ୍କା ରହିଛି। ତେଣୁ ସଞ୍ଚୟ ଅଭ୍ୟାସକୁ ଜନଆନ୍ଦୋଳନର ରୂପ ଦେବା ଆବଶ୍ୟକ। ୨୦୧୧ରୁ ୨୦୨୩ ମଧ୍ୟରେ ଦେଶର ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ଉପଲବ୍ଧିକୁ ମୋଦୀ ଏକ ବଡ଼ ସଫଳତା ବୋଲି କହିଥିଲେ। ଏହା ଜାତୀୟ ଉତ୍ସବ ପାଳନ କରିବା ଭଳି ଉପଲବ୍ଧି ବୋଲି ସେ ମତ ଦେଇଥିଲେ। ଏହି ସଫଳତା ପଛରେ ସରକାର, ସରକାରୀ ଅଧିକାରୀ, ଶିଳ୍ପଜଗତ ଓ ସାଧାରଣ ଲୋକଙ୍କ ସାମୁହିକ ଅବଦାନ ରହିଥିବା ସେ ଉଲ୍ଲେଖ କରିଥିଲେ। ୨୦୧୪ରେ ସଂସଦର କେନ୍ଦ୍ରୀୟ କକ୍ଷରେ ନିଜର ପ୍ରଥମ ଭାଷଣକୁ ମନେ ପକାଇ ମୋଦୀ କହିଥିଲେ, ସେତେବେଳେ ତାଙ୍କ ସରକାରକୁ ଗରିବଙ୍କ ପାଇଁ ସମର୍ପିତ ସରକାର ବୋଲି ଘୋଷଣା କରିଥିଲେ। ଗରିବଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ଲୋକଙ୍କ ପାଖରେ ପହଞ୍ଚେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ମନ୍ତ୍ରୀମାନଙ୍କୁ କହିଥିଲେ। ବୈଠକରେ ନିଶାଦ୍ରବ୍ୟର କୁପ୍ରଭାବ ଓ ଯୁବପିଢ଼ିଙ୍କ ଉପରେ ଏହାର ପ୍ରଭାବକୁ ନେଇ ଆଲୋଚନା ବେଳେ ମୋଦୀ ଭାବପ୍ରବଣ ହୋଇପଡ଼ିଥିବା ସୂତ୍ରରୁ ଜଣାପଡ଼ିଛି। ଦେଶର ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଜରୁରୀ ବୋଲି ସେ କହିଥିଲେ। ନକ୍ସଲବାଦକୁ ମୁକାବିଲା କରିବାରେ ଦେଶ ସଫଳ ହୋଇଥିବା ଉଦାହରଣ ଦେଇ ସେ କହିଥିଲେ, ସାମୂହିକ ପ୍ରୟାସ ରହିଲେ ନିଶା ସମସ୍ୟାକୁ ମଧ୍ୟ ମୂଳପୋଛ କରାଯାଇପାରିବ। ଏହାକୁ ଏକ ବ୍ୟକ୍ତିଗତ ସଂକଳ୍ପ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ଦେଶରୁ ନକ୍ସଲବାଦ ଦୂର ହୋଇଥିଲେ ମଧ୍ୟ ଏହାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ସରକାର ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରହିବାକୁ ମୋଦୀ ପରାମର୍ଶ ଦେଇଥିଲେ। ବୈଠକରେ ସେପ୍ଟେମ୍ବରରେ ଅନୁଷ୍ଠିତ ଚିନ୍ତନ ବୈଠକରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକର ଅଗ୍ରଗତି ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା ମଧ୍ୟ କରାଯାଇଥିଲା।

Tags: