ମହିଳା ସଂରକ୍ଷଣକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଲ୍ କାଟ ଖାଇଛି। ମହିଳା ସଂରକ୍ଷଣକୁ ନେଇ ସଂସଦରେ ଜାରି ରହିଥିବା ବିତର୍କ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ। ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି , ମହିଳାଙ୍କ ତ୍ରାଣକର୍ତ୍ତା ସାଜିବାକୁ ସରକାରଙ୍କ ଷଡ଼ଯନ୍ତ୍ର ବିଫଳ ହୋଇଛି । ସରକାର ଏବେ ଏକ ବଡ଼ ରାଜନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କ ପ୍ରଚାର ସର୍ବସ୍ୱ ନୀତିର ସତ୍ୟତା ଏବେ ଲୋକଲୋଚନକୁ ଆସିଛି।
ପ୍ରିୟଙ୍କା ଗୁରୁତ୍ୱାରୋପ କରି କହିଛନ୍ତି ,ଗତକାଲି ଯାହା ଘଟିଲା ତାହା ଗଣତନ୍ତ୍ର ଏବଂ ସମ୍ବିଧାନର ବିଜୟ। ସେ କହିଛନ୍ତି, ଏହା ମହିଳା ବିଲ୍ ବିଷୟରେ ନୁହେଁ, ବରଂ ସୀମା ନିର୍ଦ୍ଧାରଣ ବିଷୟରେ ଥିଲା । ଯାହା ସରକାରଙ୍କୁ ନିଜ ଇଚ୍ଛା ଅନୁସାରେ କାମ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥାନ୍ତା। ମହିଳାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ୨୦୨୩ ମସିହାରେ ସଂସଦରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଆଇନକୁ ବିନା କୌଣସି ବିଳମ୍ବରେ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ । ସେ କହିଛନ୍ତି ଏବେ କେବଳ ଘୋଷଣା ନୁହେଁ, ବରଂ ଠୋସ୍ ପଦକ୍ଷେପ ନେବାର ସମୟ ଆସିଛି। ଯଦି ଆଇନ କାର୍ଯ୍ୟକାରୀ କରିବାରେ କୌଣସି ବୈଷୟିକ ପ୍ରତିବନ୍ଧକ ଅଛି, ତେବେ ଏକ ସାଧାରଣ ସଂଶୋଧନ ମାଧ୍ୟମରେ ତାହାକୁ ସହଜରେ ସମାଧାନ କରାଯାଇପାରିବ। ଶାସକ ଦଳ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ଅଭିଯୋଗ କରୁଛନ୍ତି । ଯେତେବେଳେ ବିରୋଧୀ ଏହାକୁ ସରକାରଙ୍କ ଷଡ଼ଯନ୍ତ୍ର ବୋଲି କହୁଛନ୍ତି।



