ବିଶ୍ୱ ସମୁଦାୟକୁ ଭାରତର ଆଗାମୀ ମହାକାଶ ଯାତ୍ରାରେ ’ସହଯାତ୍ରୀ’ ହେବାକୁ ଆମନ୍ତ୍ରଣ କଲେ ମୋଦୀ
ସଂଘର୍ଷ ପୂର୍ବରୁ ସହଯୋଗ :ଆନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ନୂଆଦିଲ୍ଲୀ : ବୁଧବାର ଆନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମୁଦାୟକୁ ଭାରତର ଆଗାମୀ ମହାକାଶ ଯାତ୍ରାରେ ’ସହଯାତ୍ରୀ’ ହେବାକୁ ଆମନ୍ତ୍ରଣ କରିଥିଲେ। ସେ ଭାରତର ବଢ଼ୁଥିବା ମହାକାଶ ଆକାଂକ୍ଷା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଆନ୍ତର୍ଜାତୀୟ ଆଇନ, ଆଲୋଚନା ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଧାରିତ ଏକ ନିରାପଦ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ମହାକାଶ କ୍ଷେତ୍ରରେ ବିଶ୍ୱାସ କରେ। ମୋଦୀ କହିଥିଲେ, ‘ଆମେ ଏକ ନିରାପଦ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ମହାକାଶ କ୍ଷେତ୍ରକୁ ସମର୍ଥନ କରୁଛୁ’। ସେ ଜୋର ଦେଇ କହିଥିଲେ ଯେ ମହାକାଶ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଓ ଅଗ୍ରଗତି ଶେଷରେ ସମଗ୍ର ମାନବଜାତିର ସାଧାରଣ କଲ୍ୟାଣରେ ବ୍ୟବହୃତ ହେବା ଉଚିତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ମହାକାଶ ଯାତ୍ରା ଏହି ଦର୍ଶନକୁ ପ୍ରତିଫଳିତ କରେ ଏବଂ ଏହାର କେନ୍ଦ୍ରରେ ରହିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ । ସେ କହିଥିଲେ ଯେ ଉତ୍କର୍ଷତା ଏବଂ କମ୍ ଖର୍ଚ୍ଚରେ ମିଶନ୍ ସଫଳ କରିବାର କ୍ଷମତା ପାଇଁ ଭାରତୀୟ ମହାକାଶ ସଂସ୍ଥା ବିଶ୍ୱସ୍ତରରେ ପ୍ରଶଂସା ହାସଲ କରିଛି। ଏଥିସହ ଭାରତର ମହାକାଶ ପ୍ରଯୁକ୍ତି ଏବଂ ଆନ୍ତର୍ଜାତୀୟ ସହଭାଗିତା ମଧ୍ୟ ବିଶ୍ୱ ସମୁଦାୟ ପାଇଁ ଅଧିକ ଉପକାରୀ ହେଉଛି। ମୋଦୀ କହିଥିଲେ ଯେ ୩୪ଟି ଦେଶର ୪୩୦ରୁ ଅଧିକ ଉପଗ୍ରହ ଭାରତୀୟ ରକେଟ୍ ମାଧ୍ୟମରେ ମହାକାଶକୁ ଯାଇଛି। ଏହା ଭାରତ ବିଶ୍ୱ ମହାକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବେ ଉଭା ହେଉଥିବାର ପ୍ରମାଣ ବୋଲି ସେ ଦର୍ଶାଇଥିଲେ। ଭାରତର ସାମ୍ପ୍ରତିକ ସଫଳତା ବିଷୟରେ କହିବା ସମୟରେ ମୋଦୀ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଭାରତର ଐତିହାସିକ ଅବତରଣକୁ ଉଲ୍ଲେଖ କରିଥିଲେ। ସେହିପରି ଆଦିତ୍ୟ-ଏଲ୍ୱାନ ମିଶନ୍ ସୂର୍ଯ୍ୟର ରହସ୍ୟ ବୁଝିବାରେ ବୈଜ୍ଞାନିକମାନଙ୍କୁ ସହାୟତା କରୁଥିବା କଥା ମଧ୍ୟ ସେ କହିଥିଲେ। ସେ ଭାରତର ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସଏସ୍) ଯାତ୍ରାକୁ ମଧ୍ୟ ଦେଶର ବଢ଼ୁଥିବା ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମର ଆଉ ଏକ ମାଇଲଖୁଣ୍ଟ ଭାବେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଭାରତର ମହାକାଶ ଆକାଂକ୍ଷା ଆହୁରି ବଢ଼ୁଛି। ସେ କହିଥିଲେ ଯେ ଭାରତ ୨୦୩୫ ସୁଦ୍ଧା ନିଜର ମହାକାଶ ଷ୍ଟେସନ୍ ସ୍ଥାପନ କରିବା ଏବଂ ୨୦୪୦ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଲକ୍ଷ୍ୟ ରଖିଛି।




