ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦ; ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ମୁଣ୍ଡରେ ଗୁଳି

ଦୀପାବଳିରେ ବାଣ ଫୁଟାକୁ ନେଇ ବିବାଦ; ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ମୁଣ୍ଡରେ ଗୁଳି
Samaya Live Desk Picture
Published On
ବାଗପତ: ଦୀପାବଳିର ଆନନ୍ଦ ଉତ୍ସବ ମଧ୍ୟରେ ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଭୟଙ୍କର ରୂପ ନେଇଛି। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଏହି ବିବାଦରୁ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନଙ୍କ ମୁଣ୍ଡରେ ଗୁଳି ବାଜିଛି। ଗୁରୁତର ଆହତ ଯବାନଙ୍କ ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯାଇଥିଲେ ମଧ୍ୟ ସେ ଏବେ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଆହତ ଯବାନ ହେଉଛନ୍ତି ୨୬ ବର୍ଷୀୟ ସୌରଭ ତୋମାର। ସେ ଭାରତୀୟ ସେନାର ଅତ୍ୟନ୍ତ ସମ୍ମାନଜନକ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ନିୟୋଜିତ ଅଛନ୍ତି। ୨୦୨୧ରେ ସେନାରେ ଭର୍ତ୍ତି ହୋଇଥିବା ସୌରଭ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ। ଦୀପାବଳି ପାଳନ କରିବାକୁ ସେ ଛୁଟିରେ ନିଜ ଗାଁକୁ ଆସିଥିଲେ।
ପୁଲିସ ସୂଚନା ଅନୁଯାୟୀ, ରାମାଲା ଥାନା ଅନ୍ତର୍ଗତ ଗୋପାଳପୁର ଖାଦାନା ଗାଁରେ ରବିବାର ରାତିରେ ସୌରଭ ନିଜ ଭାଇ ବିନୀତ ଓ ମିଣ୍ଟୁଙ୍କ ସହ ଘର ବାହାରେ ବାଣ ଫୁଟାଉଥିଲେ। ଏହି ସମୟରେ ଗାଁର ଦୁଇ ଜଣ ଧୀରଜ ଓ ତାଙ୍କ ଭାଇ ମୋନୁ ଓରଫ ପ୍ରବୀଣଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ବଚସା ଉଗ୍ର ରୂପ ନେବାରୁ ଧୀରଜ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳିଟି ପ୍ରଥମେ କାନ୍ଥରେ ବାଜି ଫେରି ଆସି ସୌରଭଙ୍କ କାନ ପଛପଟ ମୁଣ୍ଡରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ବରୌତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରୁ ମେରଠ ମେଡିକାଲ କଲେଜକୁ ରେଫର୍ କରାଯାଇଥିଲା। ତେବେ ପରିବାର ଲୋକେ ତାଙ୍କୁ ମେରଠର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର କରି ମୁଣ୍ଡରୁ ଗୁଳି ବାହାର କରାଯାଇଛି। ସୌରଭଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଧୀରଜ ଓ ମୋନୁଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ସ୍ଥାନୀୟ ଥାନା ଅଧିକାରୀ ପିଟିଆଇକୁ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳ ଭାରତୀୟ ସେନାର ସବୁଠାରୁ ପୁରାତନ ଓ ବରିଷ୍ଠ ଅଶ୍ୱାରୋହୀ ରେଜିମେଣ୍ଟ। ଏହା ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ନିୟୋଜିତ ରହିଥାଏ।
Tags: