ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ଆଶ୍ରମରୁ ପଡ଼ି ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୃନ୍ଦାବନସ୍ଥିତ ଏକ ଆଶ୍ରମରୁ ପଡ଼ି ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରୁଛି। ପୋଲିସ କହିଛି ଯେ, ମୃତ ଶିଷ୍ୟଙ୍କ ପରିଚୟ ଦୀପକ ଲୋଧି ଓରଫ୍ ରସିକ ଦୁଲାରୀ ଶରଣ । ଶୁକ୍ରବାର ସେ ଗୁରୁ କୃପା କୁଞ୍ଜ ଆଶ୍ରମର ଚତୁର୍ଥ ମହଲାରୁ ତଳକୁ ପଡ଼ିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ମଧ୍ୟପ୍ରଦେଶର ଜବଲପୁର ବାସିନ୍ଦା ଦୀପକ ଲୋଧି ଏହି ଘଟଣାରେ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଂଶରେ ଗୁରୁତର ଆଘାତ ପାଇଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସକାଳେ ଜଣେ ବ୍ୟକ୍ତି ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ମୃତ ବ୍ୟକ୍ତି ଦୀପକ ଲୋଧି ଓରଫ୍ ରସିକ ଦୁଲାରୀ ଶରଣ ଏବଂ ସେ ଜବଲପୁରର ବାସିନ୍ଦା। ସେ କେଲି କୁଞ୍ଜ ସହ ସମ୍ପୃକ୍ତ ଗୁରୁ କୃପା କୁଞ୍ଜ ଆଶ୍ରମରେ ରହୁଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ପ୍ରାୟ ସକାଳ ୧୦ଟା ୩୦ ମିନିଟ୍ରେ ସେ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି ପୋଲିସ କହିଛି। ପ୍ରେମାନନ୍ଦ ମହାରାଜଙ୍କ ଜନ୍ମ ନାମ ଅନିରୁଦ୍ଧ କୁମାର ପାଣ୍ଡେ। ରାଧା ଓ କୃଷ୍ଣଙ୍କ ଭକ୍ତିରେ ନିଜକୁ ସମର୍ପିତ କରିବା ପରେ ସେ ‘ପ୍ରେମାନନ୍ଦ’ ନାମ ଗ୍ରହଣ କରିଥିଲେ। ସେ ରାଧାବଲ୍ଲଭ ସମ୍ପ୍ରଦାୟ ସହ ସମ୍ପୃକ୍ତ। ଆଧ୍ୟାତ୍ମିକତା ଉପରେ ତାଙ୍କର ସରଳ ଏବଂ ସହଜରେ ବୁଝିହେବା ଭଳି ପ୍ରବଚନ ପାଇଁ ସେ କେବଳ ବୃନ୍ଦାବନରେ ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରେ ପରିଚିତ ହୋଇଛନ୍ତି।ସୋସିଆଲ ମିଡିଆରେ ତାଙ୍କର ବହୁତ ବଡ଼ ଅନୁସରଣକାରୀ ଅଛନ୍ତି।




