ଆସନ୍ତା ସପ୍ତାହରେ ନ୍ୟୁଜିଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ତାଙ୍କର ପ୍ରଥମ ସରକାରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ଲକ୍ସନ କହିଛନ୍ତି, ନ୍ୟୁଜିଲାଣ୍ଡ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବେ। ଏହାଦ୍ବାରା ନ୍ୟୁଜିଲାଣ୍ଡରେ ଅଧିକ ନିଯୁକ୍ତି, ଅଧିକ ରପ୍ତାନୀ ଓ ଅଧିକ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ସେ କହିଛନ୍ତି। ଲକ୍ସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।




