ବିହାରରେ ଗଙ୍ଗା ନଦୀ ଉପରେ ୬ ଲେନ୍ ବିଶିଷ୍ଟ ‘ନୀତୀଶ ସେତୁ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ପାଟନା: ବିହାରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ନୂଆ ଅଧ୍ୟାୟ। ଗଙ୍ଗା ନଦୀ ଉପରେ ନିର୍ମିତ ୬ ଲେନ୍ ବିଶିଷ୍ଟ ନୂତନ ସେତୁ ‘ନୀତୀଶ ସେତୁ’କୁ ଶନିବାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସେତୁ ବୈଶାଳୀ ଜିଲ୍ଲାର ବିଦୁପୁରକୁ ପାଟନା ଉପକଣ୍ଠସ୍ଥ କଚ୍ଚି ଦର୍ଗା ସହ ସଂଯୋଗ କରିବ। ଏହାଦ୍ୱାରା ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ଯାତାୟାତ ସମୟ ହ୍ରାସ ପାଇବ। ୯.୭୬ କିଲୋମିଟର ଦୀର୍ଘ ଏହି ସେତୁର ନାମ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମରେ ରଖାଯାଇଛି। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ପ୍ରକଳ୍ପର ପରିକଳ୍ପନା ହୋଇଥିବା ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହା ପୂର୍ବରୁ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିବା ସହ କିଛି ସମୟ ହସଖୁସିରେ କଥା ହୋଇଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ମୋଦୀ ନୀତୀଶଙ୍କୁ ଭେଟି ଖୁସି ଅନୁଭବ କରିଥିବା ଲେଖିଥିଲେ। ଏହି ଗସ୍ତ ଅବସରରେ ପ୍ରାୟ ୩୪,୪୭୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ଏଥିରେ ସଡ଼କ ଯୋଗାଯୋଗ, ଶକ୍ତି, ସହରାଞ୍ଚଳ ଭିତ୍ତିଭୂମି, ଜଳସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବହନ ଭଳି କ୍ଷେତ୍ର ସାମିଲ ରହିଛି। ଏଥିସହ ବିହାରରେ ସ୍ୱଚ୍ଛ ଗଣପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ୧୦୦ଟି ପିଏମ୍-ଇବସ୍ର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨୬,୯୦୦ରୁ ଅଧିକ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। ଅନ୍ୟପକ୍ଷରେ, ସେତୁର ନାମକରଣକୁ ନେଇ ବିହାରର ଶାସକ ଏନ୍ଡିଏ ଓ ବିରୋଧୀ ଆର୍ଜେଡି ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ଶ୍ରେୟକୁ ନେଇ ଉଭୟ ପକ୍ଷ ନିଜ ନିଜର ଦାବି ରଖୁଛନ୍ତି।




