ଇଥିଓପିଆ ସଂସଦରେ ଗ୍ଲୋବାଲ ସାଉଥ ଭୂମିକାକୁ ପ୍ରଶଂସା କଲେ ମୋଦୀ

ଇଥିଓପିଆ ସଂସଦରେ ଗ୍ଲୋବାଲ ସାଉଥ ଭୂମିକାକୁ ପ୍ରଶଂସା କଲେ ମୋଦୀ
Samaya Live Desk Picture
Published On

ଆଦିସ୍‌ ଆବା:  ତିନି ରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବୁଧବାର ଇଥିଓପିଆ ସଂସଦର ଯୁଗ୍ମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ଆନ୍ତର୍ଜାତିକ ସ୍ତରରେ ତୀବ୍ର ଭୂରାଜନୈତିକ ଚଳଚଞ୍ଚଳତା ମଧ୍ୟରେ ଗ୍ଲୋବାଲ ସାଉଥ୍‌ର ସ୍ୱର ଭାବରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଭାରତର ପ୍ରୟାସକୁ ଗୁରୁତ୍ବ ଦେଇଥିଲେ।

ମୋଦୀ କହିଛନ୍ତି, ଗ୍ଲୋବାଲ ସାଉଥ୍‌ର ଉତ୍‌ଥାନ କାହା ବିରୋଧରେ ନୁହେଁ, ବରଂ ସାମ୍ପ୍ରତିକ ବାସ୍ତବତା ଭିତରେ ପ୍ରଯୁକ୍ତିବିଦ୍ୟାର ସୁବିଧା ସହିତ ଏକ ବିଶ୍ୱର କଳ୍ପନା କରେ, ସାର୍ବଭୌମତ୍ବ ପ୍ରତି ସମ୍ମାନ, ସମୃଦ୍ଧିରେ ସହଭାଗିତା ଓ ବିଶ୍ବସ୍ତରୀୟ ସୁଶାସନ ଢାଞ୍ଚାକୁ ଗୁରୁତ୍ବ ଦେଇଥାଏ। ଆଞ୍ଚଳିକ ଶାନ୍ତି ଓ ଯୋଗାଯୋଗ ପ୍ରତିଷ୍ଠା ଦିଗରେ ଭାରତ ଓ ଇଥିଓପିଆ ପାଇଁ ରହିଥିବା ବୃହତ୍ ଭୂମିକା ଉପରେ ମୋଦୀ ଗୁରୁତ୍ବ ଦେଇଥିଲେ। ଖଣି, ଖାଦ୍ୟ ସୁରକ୍ଷାଠାରୁ ବାଣିଜ୍ୟ ଓ ନିବେଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମୋଦୀ ଆହୁରି କହିଥିଲେ, ଭାରତ ଓ ଇଥିଓପିଆ ଗ୍ଲୋବାଲ ସାଉଥ୍‌ ପ୍ରତି ସହଭାଗୀ ଦୃଷ୍ଟିକୋଣ ରଖିଥିବାବେଳେ ଅଧିକ ନ୍ୟାୟପୂର୍ଣ୍ଣ, ଅଧିକ ସମାନତା ଓ ଅଧିକ ଶାନ୍ତିପୂର୍ଣ୍ଣ ବିଶ୍ବ ପାଇଁ ଏକାଠି କାମ କରୁଛନ୍ତି ଓ ନିଜ ଭାଗ୍ୟ ନିଜେ ଲେଖୁଛନ୍ତି। ଉଭୟ ଦେଶ ଆଞ୍ଚଳିକ ଶାନ୍ତି, ନିରାପତ୍ତା ଓ ଯୋଗାଯୋଗ କ୍ଷେତ୍ରରେ ବାସ୍ତବିକ ସହଯୋଗୀ ଭାବେ କାମ କରୁଛନ୍ତି। ଭାରତୀୟ କମ୍ପାନିଗୁଡ଼ିକ ଇଥିଓପିଆରେ ସବୁଠୁ ବଡ଼ ପୁଞ୍ଜି ନିବେଶକାରୀଙ୍କ ମଧ୍ୟରେ ଅଛନ୍ତି। ବୟନ, ଉତ୍ପାଦନ, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ୫ ବିଲିଅନ ଡଲାର ନିବେଶ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ୭୫,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ୧୯୪୧ରେ ଇଥିଓପିଆର ମୁକ୍ତି ପାଇଁ ଭାରତୀୟ ସୈନିକ ଇଥିଓପିଆବାସୀଙ୍କ ସହିତ ଲଢ଼ିଥିଲେ। ମୋଦୀ ସଂସଦକୁ ସମ୍ବୋଧିତ କରିବା ପୂର୍ବରୁ ଆଦିସ୍‌ ଆବାର ଆଡୱା ବିଜୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  

Tags: