ଅଜିତ ପାୱାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶେଷ ପୋଷ୍ଟ

ଅଜିତ ପାୱାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Samaya Live News Picture
Published On

ମହାରାଷ୍ଟ୍ର : ଭାରତୀୟ ରାଜନୀତି ପାଇଁ ଆଜି ଏକ ଦୁଃଖଦ ଦିନ । ଆଜି ମହାରାଷ୍ଟ୍ର ଏନସିପି ର ଜଣେ ଟାଣୁଆ ନେତାଙ୍କୁ ହରାଇଲା ଦେଶ I ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ୮.୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବରାମତି ଜିଲ୍ଲାରେ ଏକ ରାଜନୈତିକ ରାଲିକୁ ସମ୍ବୋଧନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ତାଙ୍କ ୨ ସହାୟକ ତାଙ୍କ ନିଜସ୍ୱ ଚପ୍ପର ରେ ଯାଉଥିଲେ । ତେବେ ବିମାନଟି ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦାରୁଣ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି ଏବଂ ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ସାହସ ଏବଂ ଶକ୍ତି କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅଜିତ ପାୱାର ଜଣେ ଜନନେତା ଥିଲେ ଯାହାଙ୍କର ଏକ ଦୃଢ଼ ଜନସମର୍ଥନ ଥିଲା। ମହାରାଷ୍ଟ୍ରର ଲୋକଙ୍କ ସେବାରେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ତାଙ୍କୁ ବ୍ୟାପକ ଭାବରେ ସମ୍ମାନିତ କରାଯାଇଥିଲା। ପ୍ରଶାସନିକ ବ୍ୟାପାର ପ୍ରତି ତାଙ୍କର ବୁଝାମଣା, ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଆଗ୍ରହ ମଧ୍ୟ ଉଲ୍ଲେଖନୀୟ ଥିଲା। ତାଙ୍କର ଅକାଳ ବିୟୋଗ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖଦାୟକ। ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ଆଜି ଦୁର୍ଘଟଣା ପୂର୍ବରୁ ଅଜିତ ପାୱାର ସୋସିଆଲ ମିଡିଆ ଏକ୍ସରେ କରିଥିବା ତାଙ୍କ ଶେଷ ପୋଷ୍ଟ ଖୁବ ଭାଇରାଲ ହେଉଛି । ଯେଉଁଥିରେ ସେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପୋଷ୍ଟରେ ସେ ଲେଖିଥିଲେ, "ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜ୍ୟର ପ୍ରଣେତା, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶହ ଶହ ପ୍ରଣାମ! ତାଙ୍କର ଦେଶପ୍ରେମ ଆମକୁ ସର୍ବଦା ପ୍ରେରଣା ଦେଉଥିବ।"

ajit-pawar-plane-crash-174639

ଅଜିତ ପାୱାର ମହାରାଷ୍ଟ୍ର ଏନସିପିରେ ଜଣେ ଟାଣୁଆ ନେତା ଥିଲେ । ସେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଦାଦା ନାମରେ ପରିଚିତ । ୧୯୮୦ ଦଶକରେ ତାଙ୍କ କାକା ଶରଦଙ୍କ ତତ୍ତ୍ୱାବଧାନରେ ରାଜନୀତିରେ ପ୍ରବେଶ କରିଥିଲେ ଅଜିତ। ସେ ଅଷ୍ଟମ ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାବିସଙ୍କ ସହ ରାଜ୍ୟର ଶାସନ ମଙ୍ଗ ଧରିଥିଲେ  । ସେ ଗତ ଚାରି ଦଶନ୍ଧି ଧରି ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ । ୧୯୯୧  ମସିହାରେ ସେ ବାରାମତୀ ଲୋକସଭା ଆସନ ଜିତି ପ୍ରଥମ ନିର୍ବାଚନୀ ସଫଳତା ପାଇଥିଲେ। ତଥାପି ତାଙ୍କ କାକାଙ୍କ ପାଇଁ ସ୍ଥାନ ଛାଡ଼ିବା ପାଇଁ ସେ ଅଳ୍ପ ସମୟ ପରେ ଇସ୍ତଫା ଦେଇଥିଲେ। ତା’ପରେ ଶରଦ ଉପନିର୍ବାଚନରେ ​​ବିଜୟୀ ହୋଇଥିଲେ ଏବଂ ପି.ଭି. ନରସିଂହ ରାଓଙ୍କ ତତ୍କାଳୀନ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ସେହି ବର୍ଷ ଅଜିତ ତାଙ୍କ ପରିବାରର ଗଡ଼ ବାରାମତୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀକୁ ସାତ ଥର ପ୍ରତିନିଧିତ୍ୱ କରିଥିଲେ। ସେ ୨୦୧୯ ବିଧାନସଭା ନିର୍ବାଚନରେ ​​୧.୬୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

Tags: