ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଛାତ୍ର ସମାବେଶ ପାଇଁ ଅନୁମତି ବାତିଲ, ବିଜେପିକୁ ଦାୟୀ କଲା କଂଗ୍ରେସ

ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଛାତ୍ର ସମାବେଶ ପାଇଁ ଅନୁମତି ବାତିଲ, ବିଜେପିକୁ ଦାୟୀ କଲା କଂଗ୍ରେସ
Samaya Live Desk Picture
Published On

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ଛାତ୍ରମାନଙ୍କ ସହ ହେବାକୁ ଥିବା ସାକ୍ଷାତକାର କାର୍ଯ୍ୟକ୍ରମ ପୂର୍ବରୁ ବିବାଦ ସୃଷ୍ଟି ହୋଇଛି। କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ କରାଯାଇଥିବା ‘କେପି ଗ୍ରାଉଣ୍ଡ’ ମାଲିକ କାୟସ୍ଥ ପାଠଶାଳା ଟ୍ରଷ୍ଟ ଏହି କାର୍ଯ୍ୟକ୍ରମର ଅନୁମତି ବାତିଲ କରିଛି। ରାହୁଲ ଗାନ୍ଧୀ ଅଗଷ୍ଟ ୮ରେ ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ କାର୍ଯ୍ୟକ୍ରମର ମାତ୍ର ଦୁଇ ଦିନ ପୂର୍ବରୁ ଅନୁମତି ବାତିଲ କରାଯାଇଛି। ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ନାଥ ଚୌଧୁରୀ କହିଛନ୍ତି ଯେ, ୧୪ ଅଗଷ୍ଟ ୨୦୨୫ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ ଆଦେଶ ଅନୁଯାୟୀ, କେପି କଲେଜ ଗ୍ରାଉଣ୍ଡକୁ କ୍ରୀଡ଼ା ଓ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁ ଗ୍ରାଉଣ୍ଡରେ ପାଣି ଜମି ରହିଛି ଏବଂ ସେଠାରେ ସାଧାରଣ ସଭା ଆୟୋଜନ କରିବା ସୁରକ୍ଷିତ ନୁହେଁ। ଏହାଛଡ଼ା, କଂଗ୍ରେସକୁ ଦିଆଯାଇଥିବା ଅନୁମତି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମୋଦନ ସାପେକ୍ଷ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟର ବିଜେପି ସରକାରଙ୍କ ଚାପରେ ଏହି ଅନୁମତି ବାତିଲ କରାଯାଇଛି। ଦଳ କହିଛି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହିଁ ହେବ। ଅନୁମତି ବାତିଲ ପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସେମାନେ କାହିଁକି ଭୟ କରୁଛନ୍ତି, ବୁଝିପାରୁନି। ରାଜ୍ୟ କଂଗ୍ରେସ ଦାବି କରିଛି ଯେ, ସେମାନେ ପୂର୍ବରୁ ଅନୁମତି ପାଇଥିଲେ ଏବଂ ୫୧,୦୦୦ ଟଙ୍କା ଭଡ଼ା ମଧ୍ୟ ପୈଠ କରିଥିଲେ। ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ, ଯିଏ ବୁଧବାର ପ୍ରୟାଗରାଜ ଯାଇ ପ୍ରସ୍ତୁତି ସମୀକ୍ଷା କରିଥିଲେ, କହିଛନ୍ତି ଯେ ଅଗଷ୍ଟ ୮ରେ ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ପ୍ରୟାଗରାଜ ଆସିବେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ, ଅନୁମତି ମିଳୁ କି ନ ମିଳୁ। ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ କାର୍ଯ୍ୟକ୍ରମ ପାଇଁ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଅଜୟ ରାୟ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଭୟ କରୁଛି ଏବଂ ରାଜନୈତିକ କାରଣରୁ ଏହି କାର୍ଯ୍ୟକ୍ରମକୁ ବାଧା ଦେଉଛି। ସେ କହିଛନ୍ତି, ଏହା ବିଜେପିର ଚାପ ପ୍ରୟୋଗ କରିବାର ଏକ କୌଶଳ। ସେମାନେ ଚାହୁନାହାନ୍ତି ଯେ ରାହୁଲ ଗାନ୍ଧୀ ପ୍ରୟାଗରାଜରେ ଛାତ୍ରମାନଙ୍କୁ ସମ୍ବୋଧିତ କରନ୍ତୁ। କିନ୍ତୁ ଅନୁମତି ମିଳୁ କି ନ ମିଳୁ, ରାହୁଲ ଗାନ୍ଧୀ ନିଶ୍ଚିତ ଆସିବେ। ଅଜୟ ରାୟ ଜୁଲାଇ ୩୦ ତାରିଖରେ ମିଳିଥିବା ଅନୁମତି ପତ୍ରର ଏକ ନକଲ ମଧ୍ୟ ଦେଖାଇଥିଲ । ସେ ଦାବି କରିଛନ୍ତି ଯେ, ଏହା ପୂର୍ବରୁ କୋଟା ଓ ଦେହରାଦୁନରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମାନ ଭାବେ ସ୍ଥାନ ବାତିଲ କରାଯାଇଥିଲା। ପରେ ଛାତ୍ରମାନଙ୍କ ଚାପ ଯୋଗୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ନିଜ ନିଷ୍ପତ୍ତି ବଦଳାଇଥିଲେ।

Tags: