୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ! ପତ୍ନୀ ଆନ୍ନାଙ୍କଠାରୁ ଅଲଗା ହେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ
ନୂଆଦିଲ୍ଲୀ: ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଦକ୍ଷିଣ ଭାରତୀୟ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନରେ ବଡ଼ ଝଡ଼ ଆସିଛି। ଦୀର୍ଘ ୧୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛନ୍ତି ପୱନ ଓ ତାଙ୍କ ପତ୍ନୀ ଆନ୍ନା କୋନିଡେଲା। ପାରସ୍ପରିକ ବୁଝାମଣା ଓ ସମ୍ମାନର ସହ ଅଲଗା ହେବାକୁ ଉଭୟ ନିଷ୍ପତ୍ତି ନେଇଥିବା ଏକ ମିଳିତ ବିବୃତି ଜରିଆରେ ଜଣାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପୱନଙ୍କ ପ୍ରଶଂସକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସୋମବାର ବିଳମ୍ବିତ ରାତିରେ ପୱନ କଲ୍ୟାଣଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏହି ମିଳିତ ବିବୃତି ପୋଷ୍ଟ କରାଯାଇଥିଲା। ଏଥିରେ ଉଭୟ କହିଛନ୍ତି ଯେ, ବିବାହ ସମ୍ପର୍କର ଅନ୍ତ ଘଟିଲେ ମଧ୍ୟ ସେମାନଙ୍କ ମଧ୍ୟରେ ବନ୍ଧୁତା ଅତୁଟ ରହିବ। ଏଥିସହ ସେମାନେ ନିଜ ପିଲାମାନଙ୍କ ପ୍ରତି ସମର୍ପିତ ଅଭିଭାବକ ଭାବେ ଦାୟିତ୍ୱ ତୁଲାଇବେ। ପିଲାମାନଙ୍କ ଖୁସି ଓ ଭବିଷ୍ୟତ ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବ୍ୟକ୍ତିଗତ ପରିବର୍ତ୍ତନ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି। ଏହି ଯାତ୍ରାରେ ସାଥ୍ ଦେଇଥିବା ସମସ୍ତଙ୍କୁ ଉଭୟ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପୱନ କଲ୍ୟାଣଙ୍କ ଏହା ତୃତୀୟ ବିବାହ ଥିଲା। ୧୯୯୭ରେ ସେ ନନ୍ଦିନୀଙ୍କୁ ବିବାହ କରିଥିଲେ। ତେବେ ୧୯୯୯ରେ ଉଭୟ ଅଲଗା ହୋଇଯାଇଥିଲେ। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ୨୦୧୨ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାର ପରବର୍ଷ, ଅର୍ଥାତ୍ ୨୦୧୩ରେ ରୁଷିଆ ମୂଳ ବାସିନ୍ଦା ଆନ୍ନାଙ୍କୁ ବିବାହ କରିଥିଲେ ପୱନ। ଏହି ଦମ୍ପତିଙ୍କର ପୋଲେନା ଅଞ୍ଜନା ପବନୋଭା ଓ ମାର୍କ ଶଙ୍କର ପବନୋଭିଚ୍ ନାମରେ ଦୁଇ ସନ୍ତାନ ଅଛନ୍ତି। ଅଭିନେତା ଚିରଞ୍ଜୀବୀ ଓ ନାଗେନ୍ଦ୍ର ବାବୁଙ୍କ ସାନ ଭାଇ ପୱନ ୧୯୯୬ରେ ‘ଆକ୍କଡା ଆମ୍ମାୟି ଇକ୍କଡା ଆବ୍ବାୟି’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ୨୦୦୮ରେ ବଡ଼ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ଗଠିତ ପ୍ରଜା ରାଜ୍ୟମ୍ ପାର୍ଟିର ଯୁବ ଶାଖା ‘ଯୁବରାଜ୍ୟମ୍’ର ସଭାପତି ଭାବେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୧ରେ ପ୍ରଜା ରାଜ୍ୟମ୍ କଂଗ୍ରେସରେ ମିଶିବା ପରେ ସେ ଅସନ୍ତୋଷ ପ୍ରକାଶ କରି କିଛି ସମୟ ପାଇଁ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୧୪ ମାର୍ଚ୍ଚରେ ସେ ଜନସେନା ପାର୍ଟି ଗଠନ କରିଥିଲେ। ୨୦୧୯ ନିର୍ବାଚନରେ ଗଜୁୱାକା ଓ ଭୀମାଭରମ୍ ଦୁଇଟି ଆସନରୁ ଲଢ଼ି ପରାଜିତ ହୋଇଥିଲେ। ତାଙ୍କ ଦଳ ୧୪୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ରାଜୋଲେ ଆସନରେ କେବଳ ବିଜୟୀ ହୋଇଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଜନସେନା, ଟିଡିପି ଓ ବିଜେପି ମଧ୍ୟରେ ମେଣ୍ଟ ଗଠନରେ ପବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ମେଣ୍ଟ ବିପୁଳ ବିଜୟ ହାସଲ କରିଥିବା ବେଳେ ଜନସେନା ଲଢ଼ିଥିବା ସମସ୍ତ ଆସନରେ ଜିତିଥିଲା। ୨୦୨୪ ଜୁନ୍ ୧୪ରେ ପବନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।




