ପ୍ରଥମେ ଦଳ, ତା’ପରେ ପଦବୀ – ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଡି.କେ. ଶିବକୁମାରଙ୍କ ପରାମର୍ଶ
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କ୍ୟାବିନେଟ୍ ସମ୍ପ୍ରସାରଣରେ ସ୍ଥାନ ନ ୟପାଇ ଅସନ୍ତୁଷ୍ଟ ହୋଇ ପଦତ୍ୟାଗର ଧମକ ଦେଉଥିବା କଂଗ୍ରେସ ବିଧାୟକମାନଙ୍କୁ କଡ଼ା ସତର୍କବାଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ୟକ୍ତିଗତ ରାଜନୈତିକ ଆକାଂକ୍ଷାଠାରୁ ଦଳ ବଡ଼। କେହି ପଦତ୍ୟାଗ କଲେ ତାହାକୁ ‘କେବଳ କିଛି ମିନିଟ୍ ମଧ୍ୟରେ’ ଗ୍ରହଣ କରାଯିବ। ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରି ଶିବକୁମାର କହିଛନ୍ତି ଯେ, ସମୟ ଆସିଲେ ସମସ୍ତଙ୍କୁ ସୁଯୋଗ ମିଳିବ। ସେ ଆହୁରି ଆଶ୍ୱାସନା ଦେଇଛନ୍ତି ଯେ, ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡରେ ଶୀଘ୍ର ନୂତନ ନିଯୁକ୍ତି କରାଯିବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଶିବକୁମାର କହିଛନ୍ତି, ମୁଁ ଯାହା କହିବା କଥା କହିସାରିଛି। ରାଜନୀତିରେ ପଦତ୍ୟାଗ ହୋଇଥାଏ। କେହି ପଦତ୍ୟାଗ କରିବାକୁ ଚାହିଁଲେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ। କିନ୍ତୁ ଯଦି ସେମାନେ ଦଳ ଓ ନିଜ ଭବିଷ୍ୟତକୁ ଗୁରୁତ୍ୱ ଦେଉଛନ୍ତି, ତେବେ ଦଳ ହିଁ ସବୁଠାରୁ ମହତ୍ୱପୂର୍ଣ୍ଣ। ଦଳ ଥିଲେ ସବୁକିଛି ଅଛି। ନିଜର ରାଜନୈତିକ ଜୀବନର ଉଦାହରଣ ଦେଇ ଶିବକୁମାର କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଧରମ ସିଂହ ଓ ସିଦ୍ଦରମୈୟାଙ୍କ ଶାସନକାଳରେ ତାଙ୍କୁ ମନ୍ତ୍ରୀ କରାଯାଇନଥିଲା। ସେତେବେଳେ ସେ ଚାହିଥାନ୍ତେ ପଦତ୍ୟାଗ କରିପାରିଥାନ୍ତେ କିନ୍ତୁ ସେ ଓ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଧୈର୍ଯ୍ୟର ସହ ନିଜ ସୁଯୋଗକୁ ଅପେକ୍ଷା କରିଥିଲେ। ସେ ବରିଷ୍ଠ କଂଗ୍ରେସ ନେତାମାନଙ୍କ ରାଜନୈତିକ ଯାତ୍ରାକୁ ସ୍ମରଣ କରି କହିଥିଲେ, ବୀରେନ୍ଦ୍ର ପାଟିଲ ମୁଖ୍ୟମନ୍ତ୍ରୀ ଥିବାବେଳେ ବଙ୍ଗାରାପ୍ପା, ଖଡ଼ଗେ ଓ ଧରମ ସିଂହଙ୍କୁ ମନ୍ତ୍ରୀ କରାଯାଇନଥିଲା। ପରେ କି ବଙ୍ଗାରାପ୍ପା ଓ ଧରମ ସିଂହ ମୁଖ୍ୟମନ୍ତ୍ରୀ ହୋଇନଥିଲେ? ଜୀବନରେ ଧୈର୍ଯ୍ୟ ରଖିବା ଦରକାର।




