ଗୀତା ଭାଗବତ ପଢ଼ିବେ ପାକିସ୍ତାନୀ
ଇସଲାମାବାଦ : ଦେଶ ବିଭାଜନ ପରେ ପ୍ରଥମ ଥର ପାକିସ୍ତାନ ବିଶ୍ବବିଦ୍ୟାଳୟରେ ସଂସ୍କୃତ ପଢ଼ାଯିବ। ଖୁବଶୀଘ୍ର ଗୀତା- ଭାଗବତ ବିଷୟରେ ପଢ଼ିବେ ପାକିସ୍ତାନୀ। Lahore University of Management Sciences (LUMS)ରେ ସଂସ୍କୃତ ଭାଷାରେ ଏକ ୪-କ୍ରେଡିଟ୍ ପାଠ୍ୟକ୍ରମ(ସପ୍ତାହରେ ୪ଘଣ୍ଟା ସଂସ୍କୃତ ପଢ଼ା) ଆରମ୍ଭ ହୋଇଛି। ତିନି ମାସର ସପ୍ତାହାନ୍ତ କର୍ମଶାଳା ପରେ ଏହି ନିଷ୍ପତ୍ତି ନିଆଯାଇଛି। କର୍ମଶାଳାରେ ଛାତ୍ରଛାତ୍ରୀମାନେ ଏବଂ ବିଦ୍ୱାନମାନେ ସଂସ୍କୃତକୁ ପସନ୍ଦ କରିବାରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପାଠ୍ୟକ୍ରମର ଏକ ଅଂଶ ଭାବରେ, ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିଭିଜନ ଧାରାବାହିକର ସଙ୍ଗୀତ "ହୈ କଥା ସଂଗ୍ରାମ କି" ର ଉର୍ଦ୍ଦୁ ସଂସ୍କରଣ ପଢ଼ାଯାଉଛି। ଗୁରମଣି ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ଅଲି ଉସମାନ କାସମି ଦି ଟ୍ରିବ୍ୟୁନକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଧନୀ କିନ୍ତୁ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ରହିଛି। ୧୯୩୦ ଦଶକରେ ବିଦ୍ୱାନ ଜେସିଆର ୱୁଲନରଙ୍କ ଦ୍ୱାରା ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ ତାଲିକାଭୁକ୍ତ କରାଯାଇଥିଲା, କିନ୍ତୁ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ ସହିତ ଜଡିତ ହୋଇନାହାଁନ୍ତି। କେବଳ ବିଦେଶୀ ଗବେଷକ ଏହାକୁ ବ୍ୟବହାର କରନ୍ତି। ପାକିସ୍ତାନୀ ବିଦ୍ୱାନମାନଙ୍କୁ ତାଲିମ ଦେବା ଦ୍ୱାରା ଏଥିରେ ପରିବର୍ତ୍ତନ ହେବ" ବୋଲି ସେ କହିଛନ୍ତି।




