ଦିଲ୍ଲୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ
୬ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଦେଇଛି ଦିଲ୍ଲୀ ପୁଲିସ। ସିଭିଲ୍ ଲାଇନ୍ସରେ ନ୍ୟୁ ପୁଲିସ ଲାଇନ୍ସ, ଆନନ୍ଦ ବିହାର ବସ୍ ଟର୍ମିନାଲ, ରେଳ ଷ୍ଟେସନ୍ ଏବଂ ଅନେକ ଗହଳିପୂର୍ଣ୍ଣ ବଜାର ଆତଙ୍କବାଦୀଙ୍କ ଟାର୍ଗେଟ୍ ଲିଷ୍ଟ୍ରେ ରହିଥିଲା। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି। ପେଟ୍ରୋଲ ବୋମା ଦ୍ବାରା ଉକ୍ତ ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ୍ କରାଯିବା ସମ୍ଭାବନା ଥିଲା। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ବିଜୟ ଘାଟରୁ ଏକ ବେଆଇନ ପେଟ୍ରୋଲ ବୋମା ଜବତ କରିଛି। ଏହି ଘଟଣାରେ ଦିଲ୍ଲୀ ଏବଂ ପଞ୍ଜାବରୁ ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନର ଆଇଏସ୍ଆଇ ସଞ୍ଚାଳକ ଶେହଜାଦ ଭଟ୍ଟି ନିର୍ଦ୍ଦେଶରେ କାମ କରୁଥିଲେ। ଉପରୋକ୍ତ ସ୍ଥାନଗୁଡ଼ିକର ଭିଡିଓ ଭଟ୍ଟି ନିକଟକୁ ପଠାଯାଇଥିଲା। ସ୍ବତନ୍ତ୍ର ଶାଖା ମଧ୍ୟ ଶେହଜାଦ ଭଟ୍ଟି ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ସୋସିଆଲ ମିଡିଆ ଚାଟ୍ ହାସଲ କରିପାରିଛି। ଭଟ୍ଟି ବାଦ୍ ଏହି ଅଭିଯୁକ୍ତମାନେ ଅନ୍ୟ ୧୦ ଜଣଙ୍କ ସହ ଯୋଗାଯୋଗାରେ ଥିଲେ। ଏମାନେ ସମସ୍ତେ ପାକିସ୍ତାନରେ ରହନ୍ତି ଏବଂ ଶେହଜାଦ ଭଟ୍ଟି ପାଇଁ କାମ କରନ୍ତି। ମିଳିଥିବା ସୂଚନାନୁଯାୀ ଶେହଜାଦ ଭଟ୍ଟି ଉତ୍ତରପ୍ରଦେଶର ମୁଜାଫରନଗର ବାସିନ୍ଦା ଡାନିଶକୁ ପ୍ରଥମେ ଆକ୍ରମଣ ଯୋଜନାର ଦାୟିତ୍ବ ଦେଇଥିଲା। ଆକ୍ରମଣ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ତାକୁ ୨୦ ହଜାର ଟଙ୍କା ମିଳିଥାନ୍ତା। ଡାନିଶର ସହଯୋଗୀ ସଲମାନ ଆକ୍ରମଣ ପାଇଁ ଯୋଜନା ହୋଇଥିବା ସ୍ଥାନଗୁଡ଼ିକର ଭିଡିଓ ରେକର୍ଡ କରି ଶେହଜାଦ ଭଟ୍ଟି ପାଖକୁ ପଠାଇଥିଲା। ଦିଲ୍ଲୀର ଶାହିନବାଗ ବାସିନ୍ଦା ତୟାବ ଅସ୍ତ୍ର ଗ୍ରହଣ କରିବା ଏବଂ ଏହାକୁ ବାଣ୍ଟିବା କାର୍ଯ୍ୟରେ ସମ୍ପୃକ୍ତ ଥିଲା। ଗାଜିଆବାଦ ମୋଦିନଗରର ଜୁବେର ଖାନ୍ ଅମୃତସରରୁ ଅସ୍ତ୍ର କିଣିବାପାଇଁ ଦାୟୀ ଥିବାବେଳେ ମିରଟର ଅଲି ଫଜଲକୁ ଅସ୍ତ୍ର ବିକ୍ରି କରିବା ଦାୟିତ୍ବ ଦିଆଯାଇଥିଲା। ପାକିସ୍ତାନରୁ ଡ୍ରୋନ୍ ଦ୍ବାରା ପହଞ୍ଚିଥିବା ଅସ୍ତ୍ରୁଗୁଡ଼ିକୁ ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ଥିଲା ଅମୃତସରର ମଲକିତ ସିଂହ। ତଦନ୍ତରୁ ଜଣାପଡ଼ିଛି ଯେ ସୀମାପାର ଅସ୍ତ୍ର ଚୋରାଚାଲାଣରେ ଜଡ଼ିତ ଏକ ଦ୍ବିତୀୟ ମୋଡ୍ୟୁଲ୍ର ମଧ୍ୟ ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀର କାଳିନ୍ଦୀ କୁଞ୍ଜ ଅଞ୍ଚଳରୁ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚତୁର୍ଥ ଅଭିଯୁକ୍ତ ପଞ୍ଜାବର ଅମୃତସରରୁ ଗିରଫ ହୋଇଥିଲା।




