କୁଲଗାମ୍‌ରେ ସିଆର୍‌ପିଏଫ୍‌ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ୫୦୦ରୁ ଅଧିକଙ୍କୁ ଜେରା, ୨୦ ଅଟକ

କୁଲଗାମ୍‌ରେ ସିଆର୍‌ପିଏଫ୍‌ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ୫୦୦ରୁ ଅଧିକଙ୍କୁ ଜେରା, ୨୦ ଅଟକ
Samaya Live Desk Picture
Published On
କୁଲଗାମ୍‌: ଜମ୍ମୁ-କଶ୍ମୀରର କୁଲଗାମ୍‌ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତକୁ ଜୋରଦାର କରିଛନ୍ତି ସୁରକ୍ଷା ଏଜେନ୍ସି। ଆକ୍ରମଣ ପଛରେ ଲସ୍କର-ଏ-ତୋଏବାର ଏକ ଆତଙ୍କୀ ମଡ୍ୟୁଲ୍‌ର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ସନ୍ଦେହରେ ଗତ ଦୁଇ ଦିନ ମଧ୍ୟରେ ୫୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ୨୦ ଜଣଙ୍କୁ ଅଟକ ରଖାଯାଇଛି। ଅଟକଙ୍କ ମଧ୍ୟରୁ ତିନିଜଣ ଲସ୍କରର ଓଭରଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲ୍ୟୁ) ବୋଲି ସନ୍ଦେହ କରାଯାଉଛି। ତଦନ୍ତକାରୀଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ଆତଙ୍କୀ ଅବଦୁଲ ଲତିଫ୍‌ଙ୍କ ନେତୃତ୍ୱରେ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ ରହିଛି। ଏଥିରେ ଦୁଇଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଆକ୍ରମଣଟି ହଠାତ୍‌ ହୋଇନଥିଲା ଏଥିପାଇଁ ପୂର୍ବରୁ ଦୀର୍ଘ ସମୟ ଧରି ଯୋଜନା ଓ ରେକି କରାଯାଇଥିବା ତଦନ୍ତକାରୀମାନେ ଅନୁମାନ କରୁଛନ୍ତି। କିଛି ଓଜିଡବ୍ଲ୍ୟୁ ଆତଙ୍କବାଦୀଙ୍କୁ ଲୁଚିବା ପାଇଁ ଆଶ୍ରୟ ଦେବା ସହ ଆକ୍ରମଣ ପରେ ଖସିଯିବାରେ ସହାୟତା କରିଥିବା ସନ୍ଦେହ ରହିଛି। ଗତ ନଭେମ୍ବର ୧୧ ତାରିଖ ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ କୁଲଗାମ୍‌ର ମୀର ବଜାର ନିକଟ ଅଖରାନ୍‌ଠାରେ ୪୬ତମ ବାଟାଲିୟନର ସିଆର୍‌ପିଏଫ୍‌ ଯବାନଙ୍କ ଏକ ଚେକ୍‌ପୋଷ୍ଟ ଉପରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏଥିରେ ହେଡ୍‌ କନଷ୍ଟେବଳ ସୋମବୀର ସିଂହ, କନଷ୍ଟେବଳ ରାକେଶ ଦାସ ଏବଂ ସନ୍ତୋଷ ଚନ୍ଦ୍ରୁ ଆହତ ହୋଇଥିଲେ। ସୋମବୀରଙ୍କ ବାହୁରେ, ରାକେଶଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସନ୍ତୋଷଙ୍କ ପେଟ ଓ ମେରୁଦଣ୍ଡରେ ଆଘାତ ଲାଗିଥିଲା। ତିନିଜଣଙ୍କୁ ପ୍ରଥମେ ଅନନ୍ତନାଗର ଜିଏମ୍‌ସି ହସ୍ପିଟାଲକୁ ନିଆଯାଇଥିଲା। ପରେ ସନ୍ତୋଷଙ୍କୁ ଉନ୍ନତ ଚିକିତ୍ସା ପାଇଁ ଶ୍ରୀନଗରର ୯୨ ବେସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
୧୫ ସେକେଣ୍ଡରେ ୩୦ ରାଉଣ୍ଡ ଗୁଳିମା ପ୍ରାରମ୍ଭିକ ଭାବେ ଆତଙ୍କବାଦୀମାନେ ମୋଟରସାଇକେଲ୍‌ରେ ଆସି ଆକ୍ରମଣ କରିଥିବା ଅନୁମାନ କରାଯାଉଥିଲା। କିନ୍ତୁ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଜଣାପଡ଼ିଛି ଯେ, ଦଳଦଳିଆ ଓ ଗଛଲତାରେ ଭର୍ତ୍ତି ଏକ ଅଞ୍ଚଳରୁ ସେମାନେ ଗୁଳି ଚଳାଇଥିଲେ। ସିଆର୍‌ପିଏଫ୍‌ ଚେକ୍‌ପୋଷ୍ଟଠାରୁ ପ୍ରାୟ ୫୦ ମିଟର ଦୂରରୁ ଏକେ ରାଇଫଲ୍‌ରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ ଆତଙ୍କବାଦୀ। ଘଟଣାସ୍ଥଳରୁ ଖାଲି କାର୍ଟ୍ରିଜ୍‌ ଜବତ କରିଛନ୍ତି ଫରେନ୍‌ସିକ୍‌ ବିଶେଷଜ୍ଞ। ପୂର୍ବ ଆକ୍ରମଣରେ ମଧ୍ୟ ସମାନ ପ୍ରକାର କାର୍ଟ୍ରିଜ୍‌ ବ୍ୟବହାର ହୋଇଥିଲା କି ନାହିଁ, ତାହା ଯାଞ୍ଚ କରାଯାଉଛି। ଗୁଳିମାଡ଼ ପରେ ଆତଙ୍କବାଦୀମାନେ ଗଛଲତା ଓ ଦୁର୍ଗମ ଭୂଖଣ୍ଡର ସୁଯୋଗ ନେଇ ଖସି ପଳାଇଥିଲେ। ବର୍ତ୍ତମାନ ସିସିଟିଭି ଫୁଟେଜ୍‌ର ବିଭିନ୍ନ ଦିଗରୁ ଯାଞ୍ଚ କରାଯିବା ସହ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ କାହାକୁ ଔପଚାରିକ ଭାବେ ଗିରଫ କରାଯାଇନାହିଁ।
Tags: