ଆନ୍ଧ୍ରପ୍ରଦେଶରେ ‘ମୁରାସୁ’ ବାତ୍ୟାର ତାଣ୍ଡବ, ୧୫ ଜିଲ୍ଲାରେ ୩୦ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ
ଅମରାବତୀ: ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର ୧୫ଟି ଜିଲ୍ଲାରେ ୩୦ ହଜାର ହେକ୍ଟରରୁ ଅଧିକ ଚାଷଜମିର ଫସଲ ନଷ୍ଟ ହୋଇଛି। କୃଷ୍ଣା, ବାପଟଲା ଓ ନନ୍ଦ୍ୟାଲ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଧାନ, କପା ଓ ମକା ଫସଲ ବିଶେଷ ଭାବେ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମଙ୍ଗଳବାର ଜାରି ସରକାରୀ ସୂଚନା ଅନୁଯାୟୀ, ପ୍ରାଥମିକ ଆକଳନରେ ୧୫ଟି ଜିଲ୍ଲାର ୩୦,୬୬୧ ଏକର ଚାଷଜମିରେ ଫସଲ କ୍ଷତି ହୋଇଛି। ବାତ୍ୟା ଯୋଗୁଁ ୧୫ଟି ଜିଲ୍ଲାର ୧୩୨ଟି ମଣ୍ଡଳ ପ୍ରଭାବିତ ହୋଇଥିବା ବେଳେ ୧୦,୮୦୫ ଜଣଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ୧୭୧ଟି ରିଲିଫ୍ କ୍ୟାମ୍ପ ଖୋଲି ୧୪,୮୧୦ଟି ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ୧୧ଟି ଏନ୍ଡିଆର୍ଏଫ୍ ଏବଂ ୧୩ଟି ଏସ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ବାତ୍ୟା ପୂର୍ବରୁ ୩,୦୬୬ ଜଣ ଗର୍ଭବତୀ ମହିଳା ଓ ୧,୦୦୮ ଜଣ ପ୍ରସୂତିଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହ ୧୩ଟି ଜିଲ୍ଲାରେ ୭୨୫ଟି ଡାକ୍ତରୀ ଦଳ ଓ ୩୬୨ଟି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି।




