ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ
Samaya Live News Picture
Published On

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଗୃହରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ କରି କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଅନ୍ୟ ୧୧୮ଜଣ ବରୋଧୀ ସାଂସଦ ଅନାସ୍ଥାକୁ ସମର୍ଥନ କରିଥିବା ସୂଚନା ମିଳିଛି । ଲୋକସଭାରେ ଏବେ ବଜେଟ୍ ନେଇ ଆଲୋଚନା ଜାରି ରହିଛି । ତେବେ ବିରୋଧୀ ଦଳଙ୍କ ପାଟିତୁଣ୍ଡ ପାଇଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲି ପାରୁନି । 

ମଙ୍ଗଳବାର ବଜେଟ୍‌ ଅଧିବେଶନର ଦଶମ ଦିନରେ ଲୋକସଭା ପ୍ରଶ୍ନକାଳ ଆରମ୍ଭରୁ ବାଧାପ୍ରାପ୍ତ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ମାତ୍ର ଗୋଟିଏ ମିନିଟ୍ ପରେ, ଅଧ୍ୟକ୍ଷତା କରୁଥିବା ପିସି ମୋହନ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ମଧ୍ୟାହ୍ନ ୧୨ଟାରେ ଗୃହ ପୁନର୍ବାର ଆରମ୍ଭ ହୋଇଥିଲା। ବିରୋଧୀ ଦଳ ବିରୋଧ ଜାରି ରଖିଥିଲେ, ସାଂସଦମାନେ “ଆମେ ନ୍ୟାୟ ଚାହୁଁଛୁ” ସ୍ଲୋଗାନ ଦେଇଥିଲେ। ତା’ପରେ ଗୃହକୁ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ମୁଲତବୀ କରାଯାଇଥିଲା।

ପ୍ରବଳ ହଟ୍ଟଗୋଳ ମଧ୍ୟରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ହାତ ଯୋଡ଼ି ବିରୋଧୀ ଦଳର ସାଂସଦମାନଙ୍କୁ ନିବେଦନ କରିଥିଲେ, “ବଜେଟ୍ ଉପରେ ଆଲୋଚନା ହେବାକୁ ଦିଅ। ଏହା ଆମ ସମସ୍ତଙ୍କର କ୍ଷତି କରୁଛି। ଆପଣମାନେ ପ୍ରତିଦିନ ଆସି ହଟ୍ଟଗୋଳ ସୃଷ୍ଟି କରୁଛନ୍ତି। ଏହା କାମ ହେବାରେ ବାଧା ସୃଷ୍ଟି କରୁଛି।”

ତେବେ କଂଗ୍ରେସର ନୋଟିସ ପରେ ନିଜେ ବାଚସ୍ପତି ଗୃହକାର୍ଯ୍ୟ ପରିଚାଳନାରୁ ଓହରି ଯାଇଥିବା ସୂଚନା ମିଳିଛି । ସେ ନିଜ ଆସନରେ ମଧ୍ୟ ନଜର ଆସି ନାହାଁନ୍ତି । 

Tags: