ବିଶ୍ୱ ବଜାରରେ କମିଲା ତେଲ ଦର, ବଢ଼ିଲା ସୁନା

ବିଶ୍ୱ ବଜାରରେ କମିଲା ତେଲ ଦର, ବଢ଼ିଲା ସୁନା
Samaya Live News Picture
Published On

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଏକ ଐତିହାସିକ ଶାନ୍ତି ଚୁକ୍ତି ନେଇ ଘୋଷଣା କରିବା ପରେ, ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ୪ ପ୍ରତିଶତ ପର୍ଯ୍ୟନ୍ତ ଖସିଯାଇଛି। ଏହି ହ୍ରାସ ପରେ ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୪ ଡଲାରକୁ ଚାଲିଆସିଛି। ଫଳରେ ଆଗାମୀ ଦିନରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେବ ବୋଲି ଆଶା କରାଯାଉଛି। ବିଗତ ଦିନରେ ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ଦର ଆକାଶଛୁଆଁ ହୋଇଥିଲା। ଭାରତ ନିଜର ଆବଶ୍ୟକତାର ଅଧିକାଂଶ ତୈଳ ଆମଦାନୀ କରୁଥିବାରୁ, ଏହାର ସିଧାସଳଖ ପ୍ରଭାବ ଦେଶରେ ପଡ଼ିଥିଲା ଏବଂ ବିଭିନ୍ନ ପର୍ଯ୍ୟାୟରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇଥିଲା। ଏବେ ଶାନ୍ତି ଚୁକ୍ତି ଆଶା ଯୋଗୁଁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି।

ଅନ୍ୟପଟେ, ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି । ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପରେ ତେଲ ଦର କମିଥିବାବେଳେ ବୃଦ୍ଧି ପାଇଛି ସୁନା ଦର । ଆଜି ୨୪ କ୍ୟାରେଟ ସୁନା ମୂଲ୍ୟରେ ଏକା ଥରକେ ୨,୬୦୦ରୁ ଅଧିକ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୩,୧୫୭ ସ୍ତରରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୯୦୦ ଟଙ୍କା ଛୁଇଁଛି । ରୁପାରେ ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ରୁପା କିଲୋ ପିଛା ୫,୫୬୪ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

 

Tags: