ମଦ ନିଷିଦ୍ଧ ରାଜ୍ୟ ବିହାରରେ କୃଷକଙ୍କ ଟ୍ରାକ୍ଟରରେ ମଦ ଯୋଗାଣ

ମଦ ନିଷିଦ୍ଧ ରାଜ୍ୟ ବିହାରରେ କୃଷକଙ୍କ ଟ୍ରାକ୍ଟରରେ ମଦ ଯୋଗାଣ
Samaya Live Desk Picture
Published On

ପାଟନା: ମଦ ନିଷିଦ୍ଧ ରାଜ୍ୟ ବିହାରରେ ମଦ ଯୋଗାଣ ପାଇଁ ପାଣି ଟାଙ୍କି ବ୍ୟବହାର କରାଯାଉଛି। ମଦ ଚୋରାଚାଲାଣକାରୀ କୃଷକଙ୍କ ଟ୍ରାକ୍ଟରରେ ପାଣି ଟାଙ୍କି ଖଞ୍ଜି ମଦ ଯୋଗାଣ କରୁଛନ୍ତି। ହରିୟାଣା ଓ ପଞ୍ଜାବରୁ ଏହି ମଦ ଆସୁଛି। ପୁଲିସ ଅନୁଯାୟୀ କୃଷକଙ୍କ ଟ୍ରାକ୍ଟରରେ ଏହି ପାଣି ଟାଙ୍କି ରଖି ଏଥିରେ ମଦ ଚୋରାଚାଲାଣ କରାଯାଇଛି ଏବଂ ଏଥିପାଇଁ କୃଷକଙ୍କୁ ମୋଟା ଅଙ୍କର ଟଙ୍କା ଦିଆଯାଉଛି। ଅତିରିକ୍ତ ଏସ୍‌ପି ଶୁଭମ ଅଗ୍ରୱାଲ କହିଛନ୍ତି, ଗୋପୀଗଞ୍ଜ ଥାନା ଅଧୀନରେ ଥିବା ଜାତୀୟ ରାଜପଥ-୧୯ର ସର୍ଭିସ୍‌ ଲେନ୍‌ରେ ସାରା ରାତି ପାର୍କିଂ ହୋଇଥିବା ଏକ ଟ୍ରାକ୍ଟର ସହ ଏକ ପାଣି ଟାଙ୍କି ଖଞ୍ଜା ଯାଇଥିଲା ଯେଉଁଥିରୁ ୧୦୦୫ ଲିଟର ଆଇଏମ୍ଏଫ୍ଏଲ (ଇଣ୍ଡିଆନ ମେଡ୍‌ ଫରେନ୍‌ ଲିକର୍‌) ମିଳିଛି ଯାହାର ମୂଲ୍ୟ ପାଖାପାଖି ୧୧ ଲକ୍ଷ ଟଙ୍କା। ଏହି ମାମଲାରେ ଟ୍ରାକ୍ଟର ଡ୍ରାଇଭର ମନୋଜ ଓରଫ ରାହୁଲ ସୈନୀଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶ ଶାମଲି ଜିଲ୍ଲା ଥାନା ଭବନ ଅଞ୍ଚଳର ଆବଡ଼ଗଡ଼ ଗ୍ରାମ ବାସିନ୍ଦା। ଜେରା ସମୟରେ ସୈନୀ କହିଛନ୍ତି ଯେ ହରିୟାଣା ପାନିପତର କୁରଥଲରୁ ବିହାରକୁ ମଦଭର୍ତ୍ତି ପାଣି ଟାଙ୍କି ପହଞ୍ଚାଇବା ପଇଁ ତାଙ୍କୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ପୁଲିସ ଟ୍ରାକ୍ଟର ଓ ଟ୍ୟାଙ୍କର ଜବତ କରିବା ସହ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।

Tags: