ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ବିନା ପେଟ୍ରୋଲ ମିଳିବନି
ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ(ପିୟୁସି) ନଥିଲେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ । ଦିଲ୍ଲୀ ସରକାର ରାଜଧାନୀରେ ବାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବା ପାଇଁ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି ଯେ, ପିୟୁସି ପ୍ରମାଣପତ୍ର ନଥିବା ଯାନବାହନଗୁଡ଼ିକୁ ଆଜିଠାରୁ ପେଟ୍ରୋଲ ପମ୍ପରେ ଇନ୍ଧନ ଯୋଗାଇ ଦିଆଯିବ ନାହିଁ । ମନ୍ତ୍ରୀ କହିଛନ୍ତି, ନିର୍ମାଣ ସାମଗ୍ରୀ ଆଣୁଥିବା ଟ୍ରକଗୁଡ଼ିକୁ ଦିଲ୍ଲୀ ଭିତରକୁ ଆସିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହେବ । ଏହା ସହିତ, ଆଜିଠାରୁ ଦିଲ୍ଲୀ ବାହାରୁ ଆସୁଥିବା ବ୍ୟକ୍ତିଗତ ଯାନବାହନଗୁଡ଼ିକୁ ଯଦି ବିଏସ୍୬ ବର୍ଗରୁ କମ୍ ହୋଇଥାଏ, ତେବେ ସେଗୁଡ଼ିକୁ ରାଜଧାନୀ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପରିବେଶ ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୌଣସି ସରକାର ୯-୧୦ ମାସ ଭିତରେ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ଠିକ୍ କରିପାରିବେ ନାହିଁ । ପୂର୍ବ ଆପ୍ ସରକାରକୁ ତାର କାର୍ଯ୍ୟକାଳରେ କୌଣସି ଠୋସ୍ ପଦକ୍ଷେପ ନନେବା ପାଇଁ ଦୋଷାରୋପ କରିଛନ୍ତି ।




