ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର
ପାଟନା : ଜେଡିୟୁ (ଜନତା ଦଳ ୟୁନାଇଟେଡ) ସୁପ୍ରିମୋ ନୀତୀଶ କୁମାର ଦଶମ ଥର ପାଇଁ ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଟନା ସ୍ଥିତ ଗାନ୍ଧୀ ମଇଦାନରେ ଆଜି ନୀତୀଶ ଶପଥ ନେଇଛନ୍ତି। ତାଙ୍କ ସହ ବିଜେପିର ସମ୍ରାଟ ଚୌଧାରୀ ଏବଂ ବିଜୟ କୁମାର ସିହ୍ନା ଉପମୁଖ୍ୟଭାବେ ଶପଥ ନେଇଛନ୍ତି। ଉକ୍ତ ୩ ନେତାଙ୍କ ବାଦ ଅନ୍ୟ ୨୪ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଆଜି ରାଜ୍ୟପାଳ ଆରିଫ ମହମ୍ମଦ ଖାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ଉତ୍ସବ ପୂର୍ବଦିନ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ନୀତୀଶ କୁମାରଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାପାଇଁ ଗତକାଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପାଟନା ସ୍ଥିତ ନୀତୀଶଙ୍କ ବାସଭବନରେ ଗତକାଲି ନବ ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ନୀତୀଶଙ୍କୁ ମଧ୍ୟ ସର୍ବସମ୍ମତି କ୍ରମେ ଏନ୍ଡିଏର ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା।




