ଇ୨୦ ଲାଭ ସଂକ୍ରାନ୍ତ ପୋଷ୍ଟ ବିରୋଧରେ ନୀତିନ ଗଡ଼କରୀ ହାଇକୋର୍ଟଙ୍କ ଦ୍ବାରସ୍ଥ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ତାଙ୍କ ପରିବାର ଇ ୨୦ ଇଥାନଲ କାର୍ଯ୍ୟକ୍ରମରୁ ଲାଭ ପାଇଛନ୍ତି ବୋଲି ଦାବି କରୁଥିବା ମାନହାନିକାରକ ପୋଷ୍ଟ ଓ ଡିପ୍ଫେକ୍ ବିଷୟବସ୍ତୁ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।। ହାଇକୋର୍ଟ ମଧ୍ୟ ତାଙ୍କୁ ମେଟା, ଅନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ଏହାର ପ୍ରଚାର କିମ୍ବା ପ୍ରସାର କରିଥିବା ଅଜଣା ସଂସ୍ଥାମାନଙ୍କ ବିରୋଧରେ ଦେୱାନୀ ମାମଲା ଦାଖଲ କରିବାକୁ ଅନୁମତି ଦେଇଛନ୍ତି।ଇଥାନଲ ମିଶ୍ରଣ ନୀତିର ଜଣେ ପ୍ରମୁଖ ସମର୍ଥକ ଭାବେ ପରିଚିତ ଗଡ଼କରୀ ଏନେଇ ଏକ ପିଟିସନ୍ ଦାଖଲ କରିଥିଲେ। ଯେତେବେଳେ ମାମଲାର କିଛି ଅଂଶ ବମ୍ବେ ଉଚ୍ଚ ନ୍ୟାୟାଳୟର ଭୌଗୋଳିକ ଅଧିକାର କ୍ଷେତ୍ରର ବାହାରେ ଘଟେ, ସେତେବେଳେ ଏହି ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ। ପ୍ରସ୍ତାବିତ ମାମଲା ଅନୁଯାୟୀ, ଏମିତି ପୋଷ୍ଟ ଓ ଡିପ୍ଫେକ୍ ବିଷୟବସ୍ତୁ ରହିଛି, ଯେଉଁଥିରେ ଗଡ଼କରୀ ଓ ତାଙ୍କ ପରିବାରକୁ ନ୨୦ ଇଥାନଲ କାର୍ଯ୍ୟକ୍ରମରୁ କଥିତ ଲାଭ ସହ ଯୋଡ଼ାଯାଇଛି। ଯଦିଓ ଇଥାନଲ ମିଶ୍ରଣ ନୀତିର ପରିଚାଳନା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କରୁଛି। ଏହି ମାମଲାର ଶୁଣାଣି ବିଚାରପତି ଅଭୟ ଆହୁଜାଙ୍କ ସମ୍ମୁଖରେ ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନ୍ୟାୟାଳୟ ଗଡ଼କରୀଙ୍କୁ ମାମଲା ଦାଖଲ କରିବାକୁ ଅନୁମତି ପ୍ରଦାନ କଲେ। ଏହି ଘଟଣାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ନାଗପୁରରେ ସରକାରଙ୍କ ଇ୨୦ ମିଶ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିଷୟରେ ଭୁଲ ତଥ୍ୟ ପ୍ରଚାର କରିଥିବା ଅଭିଯୋଗରେ ଚାରିଜଣ ସୋସିଆଲ ମିଡିଆ ପ୍ରଭାବଶାଳୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା।
Tags:




