ପ୍ରଥମ ଥର ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ, ନଭେମ୍ବର ୨୩ରେ ମୋଦୀଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା

ପ୍ରଥମ ଥର ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ, ନଭେମ୍ବର ୨୩ରେ ମୋଦୀଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା
Samaya Live Desk Picture
Published On
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୨ ଓ ୨୩ ତାରିଖରେ ଭାରତ ଗସ୍ତରେ ଆସିବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ସେ ଦୁଇଦିନିଆ ରାଜକୀୟ ଗସ୍ତରେ ନୂଆଦିଲ୍ଲୀ ଆସିବେ। ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶକ୍ତି, ନିବେଶ, ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ପ୍ରସଙ୍ଗରେ ବଡ଼ ଧରଣର ଆଲୋଚନା ହେବା ସହ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାୟ ଶୁକ୍ରବାର ଏହି ଗସ୍ତ ସମ୍ପର୍କିତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବାଲେନ ଶାହଙ୍କ ସହ ୩୪ ଜଣିଆ ସରକାରୀ ପ୍ରତିନିଧି ଦଳ ଭାରତ ଆସିବେ। ଏଥିରେ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍‌ଲେ, ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା କୁମାର ବ୍ୟଞ୍ଜନକାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଏହାବ୍ୟତୀତ ୫୨ ଜଣିଆ ନେପାଳୀ ବ୍ୟବସାୟୀ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତ କରିବେ।
ନଭେମ୍ବର ୨୩ ତାରିଖରେ ନୂଆଦିଲ୍ଲୀରେ ମୋଦୀ ଓ ବାଲେନ ଶାହଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପରିବହନ, ନିବେଶ, ଶକ୍ତି ସହଯୋଗ, ସୀମାପାର ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ଭଳି ପ୍ରସଙ୍ଗ ଗୁରୁତ୍ୱ ପାଇବ। ଆଲୋଚନା ପରେ ଦୁଇ ଦେଶର ମିଳିତ ଶକ୍ତି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରାଯିବା ସହ କିଛି ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା ଓ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ଅନେକ ବୁଝାମଣାପତ୍ର (ଏମ୍‌ଓୟୁ) ଆଦାନପ୍ରଦାନ ହେବ। ଏହି ଗସ୍ତରେ ନେପାଳ ପାଇଁ ଅତିରିକ୍ତ ବିମାନ ପ୍ରବେଶ ମାର୍ଗ ଖୋଲିବା ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ପାଇପାରେ। ବିଶେଷକରି ମହେନ୍ଦ୍ରନଗର ଓ ଭୈରହୱା ଦେଇ ଭାରତୀୟ ଆକାଶସୀମାରେ ବିମାନ ପ୍ରବେଶ ଅନୁମତି ଦେବାକୁ ନେପାଳ ଦୀର୍ଘଦିନ ଧରି ଦାବି କରିଆସୁଛି। ଏହାଦ୍ୱାରା ନେପାଳର ଅନ୍ତର୍ଜାତୀୟ ବିମାନ ଚଳାଚଳ ସୁବିଧା ବୃଦ୍ଧି ପାଇବ। ଏହା ସହ ନେପାଳରେ ଭାରତୀୟ ସହାୟତାରେ ଚାଲିଥିବା ରେଳ, ସଡ଼କ ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହେବ। ନେପାଳ ପ୍ରାୟ ୨ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ୟାକେଜ୍‌ ଆଶା କରୁଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଗସ୍ତ ଅବସରରେ ବାଲେନ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ତାଙ୍କୁ ଭେଟିବେ। ଏହାସହ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ନେପାଳ-ଭାରତ ବ୍ୟବସାୟ ମଞ୍ଚରେ ଯୋଗଦେଇ ନେପାଳରେ ନିବେଶର ସୁଯୋଗ ଓ ସରକାରଙ୍କ ଆର୍ଥିକ ନୀତି ସମ୍ପର୍କରେ ଭାରତୀୟ ଉଦ୍ୟୋଗପତିଙ୍କୁ ଅବଗତ କରାଇବେ। ନଭେମ୍ବର ୨୩ ସନ୍ଧ୍ୟାରେ ସେ ନେପାଳ ଫେରିବା କାର୍ଯ୍ୟକ୍ରମ ରହିଛି।
Tags: