ବଜାରକୁ ଆସିଲା ଏନସିଆରଟି ୯ମ ଶ୍ରେଣୀ ଗଣିତ ବହି
ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (NCERT) ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ପ୍ରସ୍ତୁତ ହୋଇଥିବା ନବମ ଶ୍ରେଣୀ ନୂତନ ଗଣିତ ବହି 'ଗଣିତ ମଞ୍ଜରୀ' (Ganita Manjari) ବଜାରକୁ ଆସିଛି। ଜାତୀୟ ଶିକ୍ଷା ନୀତି (NEP 2020) ଏବଂ NCF 2023 ର ମାର୍ଗଦର୍ଶିକା ଅନୁଯାୟୀ ଏହି ପାଠ୍ୟପୁସ୍ତକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।
ନୂତନ ଶିକ୍ଷାବର୍ଷରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷାଦାନ ପଦ୍ଧତିକୁ ଅଧିକ ସରଳ ଓ ଆଧୁନିକ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି NCERT (ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ)। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସଂଶୋଧିତ ୯ମ ଶ୍ରେଣୀ ପାଠ୍ୟପୁସ୍ତକ ପ୍ରକାଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ NCERT ପକ୍ଷରୁ ନୂତନ ଗଣିତ ପାଠ୍ୟପୁସ୍ତକ ପ୍ରକାଶ କରାଯାଇଥିବା ବେଳେ ଏହା ଏବେ ବଜାରରେ ଉପଲବ୍ଧ ହେଉଛି ।
ପୂର୍ବ ବହି ବଦଳରେ ଏବେ ଏହାକୁ 'ଗଣିତ ମଞ୍ଜରୀ' (Ganita Manjari) ନାମରେ ପ୍ରକାଶ କରାଯାଇଛି । ନୂତନ ପାଠ୍ୟକ୍ରମ ଆଧାରରେ ଏଥିରେ ୮ଟି ମୁଖ୍ୟ ଅଧ୍ୟାୟ ରହିଛି, ଯାହା ପିଲାମାନଙ୍କର ଗାଣିତିକ ତର୍କ ଏବଂ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ ।
ସେହିପରି, ନୂତନ ସାମାଜିକ ବିଜ୍ଞାନ (Social Science) ପୁସ୍ତକ ମଧ୍ୟ ଖୁବ୍ ଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଆଧାରରେ ଏହି ସଂଶୋଧିତ ବହିଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ NCERTର ପର୍ଯ୍ୟାୟକ୍ରମିକ ପୁସ୍ତକ ପ୍ରକାଶନ ଯୋଜନା ଅଧୀନରେ ଏହି ନୂତନ ସଂସ୍କରଣଗୁଡ଼ିକ ଅଣାଯାଉଛି ।




