ରୋହିଙ୍ଗ୍ୟାଙ୍କ ବିରୋଧରେ ମ୍ୟାଁମାର ଗଣହତ୍ୟାକୁ ନରସଂହାର ଘୋଷଣା କଲେ ଆଇସିଜେ; ୧୦ ହଜାରରୁ ଅଧିକଙ୍କ ମୃତ୍ୟୁ, ୭ ଲକ୍ଷ ଶରଣାର୍ଥୀ

ରୋହିଙ୍ଗ୍ୟାଙ୍କ ବିରୋଧରେ ମ୍ୟାଁମାର ଗଣହତ୍ୟାକୁ ନରସଂହାର ଘୋଷଣା କଲେ ଆଇସିଜେ; ୧୦ ହଜାରରୁ ଅଧିକଙ୍କ ମୃତ୍ୟୁ, ୭ ଲକ୍ଷ ଶରଣାର୍ଥୀ
Samaya Live Desk Picture
Published On

ନୂଆଦିଲ୍ଲୀ : ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଥିବା ରୋହିଙ୍ଗ୍ୟା ମୁସଲମାନଙ୍କୁ ଶେଷରେ ମିଳିଛି ଆନ୍ତର୍ଜାତିକ ନ୍ୟାୟର ସ୍ୱୀକୃତି। ୨୦୧୭ରେ ମ୍ୟାଁମାର ସେନା ରୋହିଙ୍ଗ୍ୟା ସଂପ୍ରଦାୟ ବିରୋଧରେ ଯେଉଁ ଭୟାବହ ଅଭିଯାନ ଚଳାଇଥିଲା, ତାହା ନରସଂହାର ବୋଲି ରାୟ ଦେଇଛନ୍ତି ଜାତିସଂଘର ସର୍ବୋଚ୍ଚ ଅଦାଲତ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)। ଏହି ଐତିହାସିକ ରାୟକୁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ସ୍ୱାଗତ କରିଥିବା ବେଳେ ନିଜ ଭିଟାମାଟିକୁ ଫେରିବା ନେଇ ଏବେ ବି ସେମାନଙ୍କ ମନରେ ଆଶଙ୍କା ରହିଛି। ଆଇସିଜେଙ୍କ ରାୟ ଅନୁସାରେ, ୨୦୧୭ରେ ମ୍ୟାଁମାରର ରାଖାଇନ୍‌ ରାଜ୍ୟରେ ସେନା ଅଭିଯାନ ସମୟରେ ରୋହିଙ୍ଗ୍ୟାଙ୍କ ଉପରେ ଗଣହତ୍ୟା ଓ ମହିଳାଙ୍କ ପ୍ରତି ବ୍ୟାପକ ଯୌନ ହିଂସା ଘଟାଯାଇଥିଲା। ଏହି ହିଂସାରେ ୧୦ ହଜାରରୁ ଅଧିକ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଲକ୍ଷ ଲୋକ ଜୀବନ ବଞ୍ଚାଇବାକୁ ପଡ଼ୋଶୀ ବାଂଲାଦେଶରେ ଶରଣ ନେଇଥିଲେ। ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆ ୨୦୧୯ରେ ରୋହିଙ୍ଗ୍ୟାଙ୍କ ପକ୍ଷରୁ ଏହି ମାମଲା ଆଇସିଜେରେ ଦାଏର କରିଥିଲା। ଅଦାଲତ ମ୍ୟାନମାରକୁ ନରସଂହାର ସମ୍ପର୍କିତ ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଂଘନ ବନ୍ଦ କରିବା ସହ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ଏବଂ ଭବିଷ୍ୟତରେ ଏଭଳି ଅପରାଧ ରୋକିବାକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଥାପିତ ରୋହିଙ୍ଗ୍ୟାଙ୍କ ସୁରକ୍ଷିତ ଓ ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ଏବଂ ବିଚ୍ଛିନ୍ନ ପରିବାରର ପୁନର୍ମିଳନ ମଧ୍ୟ ଏହି ନିର୍ଦ୍ଦେଶର ଅଂଶ। ତେବେ ରାୟକୁ ସ୍ୱାଗତ କରିଥିଲେ ମଧ୍ୟ ଶରଣାର୍ଥୀମାନେ ନିଜ ଗାଁକୁ ଫେରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ୨୦୧୭ର ସାମରିକ ଅଭିଯାନରେ ସେମାନଙ୍କ ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବାରୁ ଫେରିବା ପରେ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ ହେବ କି ନାହିଁ, ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ରୋହିଙ୍ଗ୍ୟା ନେତାମାନେ। ବିଶ୍ୱର ବିଭିନ୍ନ ଦେଶ ଏହି ସଂପ୍ରଦାୟର ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେମାନେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ମ୍ୟାଁମାର ସରକାର ଏହି ରାୟକୁ ଅନ୍ୟାୟ ବୋଲି କହିଛନ୍ତି। ସରକାରୀ ମୁଖପାତ୍ର କହିଛନ୍ତି, ଦେଶକୁ ଅନ୍ୟାୟ ଭାବେ ଅଭିଯୁକ୍ତ କରାଯାଇଛି ଏବଂ ରାୟଟି ସର୍ବସମ୍ମତ ନୁହେଁ।

Tags: