ଅକ୍ଟୋବର ୧୨ ଆ‌ନ୍ଦୋଳନ ଯାତ୍ରା ପାଇଁ ରାହୁଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଆଚରଣ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ମାଗିଲେ

ଅକ୍ଟୋବର ୧୨ ଆ‌ନ୍ଦୋଳନ ଯାତ୍ରା ପାଇଁ ରାହୁଲଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
Samaya Live Desk Picture
Published On

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଗତ ୧୨ ତାରିଖରେ ଇଣ୍ଡି ମେଣ୍ଟ ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ଏକ ପଦଯାତ୍ରା କରିଥିଲେ ଏବଂ ଏହାର ନେତୃତ୍ବ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଏହି ପ୍ରସଙ୍ଗ ପାଇଁ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସିଜେଆଇ କହିଛନ୍ତି, କେହି ବି ନ୍ୟାୟପାଳିକା ଉପରେ ଚାପ ପକାଇ ପାରିବେ ନାହିଁ। ସିଜେଆଇ ପରବର୍ତ୍ତୀ ଶୁଣାଣିରେ ରାହୁଲ ଗାନ୍ଧୀଙ୍କଠାରୁ ତାଙ୍କ ଆଚରଣ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ବିରୋଧୀ ଦଳଗୁଡ଼ିକର ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରା ଏବଂ ଏହା ପରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ନେଇ ପ୍ରଧାନ ବିଚାରପତି ଚିନ୍ତା ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ରାହୁଲଙ୍କୁ ତାଙ୍କ କାର୍ଯ୍ୟକଳାପ ବିଷୟରେ ଜବାବ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷେ କୋର୍ଟ ମଧ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗକୁ ନେଇ କେନ୍ଦ୍ର ସରକାର ଏବଂ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ନୋଟିସ୍ ଜାରି କରିଛନ୍ତି। ରାହୁଲ ଗାନ୍ଧୀ ଓ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସୀଙ୍କ ସମେତ ବିରୋଧୀ ନେତାମାନେ ଏହି ଆବେଦନ କରିଛନ୍ତି। ବିରୋଧୀ ଦଳଗୁଡ଼ିକର ଦାବି ଅନୁଯାୟୀ, ଦେଶବ୍ୟାପୀ ଏସ୍‌ଆଇଆର ପ୍ରକ୍ରିୟାରେ ପ୍ରାୟ ୧୩ କୋଟି ଭୋଟର ବାଦ୍ ପଡ଼ିଛନ୍ତି। ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଦ୍ୱାରା ଲିପିବଦ୍ଧ ହୋଇଥିବା ସମ୍ପୃକ୍ତ ଫାଇଲ୍, ଏଜେଣ୍ଡା, ବୈଠକର ବିବରଣୀ ଏବଂ ଆପତ୍ତିଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିବାକୁ ଆବେଦନରେ ଦାବି କରାଯାଇଛି। ଜନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟର ଅନ୍ୟ ନେତାମାନେ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ଏସ୍‌ଆଇଆର ପ୍ରକ୍ରିୟା ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବି ଏହି ଆନ୍ଦୋଳନର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାର ପୂର୍ବ ସପ୍ତାହରେ ବିରୋଧୀ ନେତାମାନେ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏହି ଅନୁରୋଧକୁ ଗ୍ରହଣ କରିନଥିଲେ ଏବଂ ଆଇନଗତ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ପରେ ରାହୁଲ ଗାନ୍ଧୀ ନିଜେ ସୁପ୍ରିମକୋର୍ଟରେ ପହଞ୍ଚି ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ମିଳିତ ଆବେଦନ ଦାଖଲ କରିଥିଲେ।

Tags: