୩୨ ଘଣ୍ଟାର ଟ୍ରାଫିକ୍ ଜାମ୍ ପରେ ଖୋଲିଲା ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେ
ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେରେ ମଙ୍ଗଳବାର ସନ୍ଧ୍ୟାରୁ ଲାଗି ରହିଥିବା ଟ୍ରାଫିକ ଜାମ୍ ସମସ୍ୟାର ଆଜି ସମାଧାନ ହୋଇଛି। ଖଣ୍ଡାଲା ଘାଟ ସେକ୍ସନରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବା ଫଳରେ ଶତାଧିକ ଗାଡ଼ି ରାସ୍ତା ଉପରେ ଫସି ରହି ଭୟଙ୍କର ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଥିଲା। ୩୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଏକ୍ସପ୍ରେସ୍ୱେରେ କୌଣସି ବି ଗାଡ଼ି ଆଗକୁ ଗଡ଼ି ନଥିବାରୁ ମହିଳା, ଶିଶୁ ସମେତ ଅନ୍ୟ ଯାତ୍ରୀମାନେ ବିନା ଖାଦ୍ୟ ଏବଂ ପାଣିରେ ଆଉଟୁ ପାଉଟୁ ହୋଇଯାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରୁ ଏହି ସମସ୍ୟା ଉପୁଜିଥିବାବେଳେ ଆଜି ଅପରାହ୍ନ ୧.୪୦ରେ ରାସ୍ତା ପୁଣିଥରେ ସ୍ବାଭାବିକ ହୋଇଛି। ଏକ୍ସପ୍ରେସ୍ୱେ କଣ୍ଟ୍ରୋଲ ରୁମ୍ ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବ୍ୟସ୍ତ ବହୁଳ ମୁମ୍ବାଇ -ପୁଣେ ଏକ୍ସପ୍ରେସ୍ୱେରେ ପ୍ରପଲିନ୍ ଗ୍ୟାସ୍ ବୋଝେଇ ଗାଡ଼ି ପଲଟି ଗଲା। ବୁଧବାର ରାତି ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିଛି। ଟ୍ୟାଙ୍କରର ପ୍ରପଲିନ ଗ୍ୟାସ୍ ଲିକ୍ ହୋଇଥିବାବେଳେ ସ୍ଥିତି ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆରଏଫ୍ ଟିମ୍ ମୁତୟନ ହୋଇଥିଲେ। ଅନ୍ୟ ଏକ ଟ୍ୟାଙ୍କର ଆଣି ଗ୍ୟାସ୍ ଟ୍ରାନ୍ସଫର କରାଗଲା। ରାୟଗଡ଼ ଜିଲ୍ଲାର ଅଦୋଶୀ ସୁଡ଼ଙ୍ଗ ନିକଟରେ ଏହି ଘଟଣା ଘଟିଛି। ଟ୍ୟାଙ୍କରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଗଡ଼ାଣିଆ ସ୍ଥାନରେ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡ଼ିବାପରେ ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଟିକିଏ ସ୍ପାର୍କିଂ ହୋଇଥିଲେ ସମଗ୍ର ଅଞ୍ଚଳ ନିଆଁ ପିଣ୍ଡୁଳା ପାଲଟି ଯାଇଥାନ୍ତା। କିନ୍ତୁ ସଫଳ ଅପରେସନ୍ ଫଳରେ ବହୁତ ବଡ଼ ଅଘଟଣ ଟଳିଯାଇଛି।



