ପାକିସ୍ତାନରେ ବ୍ୟାପିଲା ଏମ୍ପକ୍ସ, ୪ ସଂକ୍ରମିତ ଶିଶୁଙ୍କ ମୃତ୍ୟୁ
ଇସଲାମାବାଦ : ପାକିସ୍ତାନରେ ଏବେ ଏମ୍ପକ୍ସ ଆତଙ୍କ ଖେଳାଇ ଦେଇଛି। ଦକ୍ଷିଣ-ପୂର୍ବ ପାକିସ୍ତାନରେ ସାତ ଜଣ ଶିଶୁଙ୍କର ଅସୁସ୍ଥତା ଯୋଗୁ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଏମ୍ପକ୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ କରାଚୀରେ ସାତ ଜଣ ଶିଶୁଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ଏବଂ ପ୍ରାରମ୍ଭିକ ଫଳାଫଳରୁ ନିଶ୍ଚିତ ହୋଇଛି ଯେ ସେମାନଙ୍କ ମଧ୍ୟରୁ ଚାରି ଜଣ ଏମ୍ପକ୍ସ ଦ୍ବାରା ପ୍ରଭାବିତ ହୋଇଥିଲେ। ମୁଖପାତ୍ର ଡାକ୍ତର ଅହମ୍ମଦ ଶେଖ କହିଛନ୍ତି ଯେ ଶିଶୁମାନେ ଯନ୍ତ୍ରଣାଦାୟକ କ୍ଷତ, ଫ୍ଲୁ ଭଳି ଲକ୍ଷଣ ଏବଂ ଜ୍ୱର ପାଇଁ ଖୈରପୁରର ଦୁଇଟି ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୃତ୍ୟୁବରଣ କରିଛନ୍ତି। ଏହି ଭାଇରସ ସଂକ୍ରମିତ ମଣିଷ କିମ୍ବା ପଶୁମାନଙ୍କ ସହିତ ନିକଟ ସମ୍ପର୍କ ସ୍ଥାପନ ଦ୍ୱାରା ବ୍ୟାପିଥାଏ। ଶେଖ କହିଛନ୍ତି ଯେ ଏହା ଦେଶରେ ଜୁନୋଟିକ୍ ଭାଇରାଲ୍ ସଂକ୍ରମଣର ପ୍ରଥମ ସ୍ଥାନୀୟ ପ୍ରକୋପ। ଶନିବାର ଦିନ ଏକ ବିବୃତ୍ତିରେ, ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ମୃତ୍ୟୁଗୁଡ଼ିକ 'ସିଧାସଳଖ ଏମ୍ପକ୍ସ ଦ୍ବାରା ହୋଇନାହିଁ। ମୃତ୍ୟୁବରଣ କରିଥିବା ସମସ୍ତ ଶିଶୁ ଆଗୁ୍ଆ ଜନ୍ମ ହୋଇଥିଲେ, ଅତ୍ୟଧିକ ଦୁର୍ବଳ ଥିଲେ ଏବଂ ଜନ୍ମ ସମୟରେ ସେମାନଙ୍କର ଓଜନ କମ୍ ଥିଲା। ସେମାନେ ପୂର୍ବରୁ କୁପୋଷଣ ଯୋଗୁଁ ସ୍ୱାସ୍ଥ୍ୟ ଜଟିଳତା ଭୋଗୁଥିଲେ ବୋଲି ମନ୍ତ୍ରାଳୟ କହିଛି।
Tags:



