ଭୋଜଶାଳା ବିବାଦୀୟ କ୍ଷେତ୍ରକୁ ବାଗ୍ଦେବୀ ମନ୍ଦିର କହିଲେ ହାଇକୋର୍ଟ
ଭୋପାଳ: ଧାର୍ରେ ଥିବା ଭୋଜଶାଳା ମନ୍ଦିର-କମାଲ ମୌଲା ମସଜିଦ୍ ପରିସର ବିବାଦରେ ଐତିହାସିକ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ବିବାଦୀୟ ଭୋଜଶାଳା ପରିସରକୁ ମଧ୍ୟପ୍ରଦେଶ ହାଇକୋର୍ଟ ଦେବୀ ସରସ୍ୱତୀଙ୍କ ମନ୍ଦିର ବୋଲି ରାୟ ଦେଇଛନ୍ତି। ଜଷ୍ଟିସ ବିଜୟ କୁମାର ଶୁଳ୍କା ଓ ଆଲୋକ ଅବସ୍ଥିଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ମୁସଲମାନ ପକ୍ଷର ଦାବିକୁ ଖାରଜ କରି କହିଛନ୍ତି ଯେ, ଭୋଜଶାଳା ପରିସରରଏହି ସ୍ଥାନଟି ବାଗ୍ଦେବୀ ସରସ୍ବତୀଙ୍କର। କୋର୍ଟ କହିଛନ୍ତି ମୁସଲିମ ସମ୍ପ୍ରଦାୟ ଏକ ମସଜିଦ ନିର୍ମାଣ ପାଇଁ ଜିଲ୍ଲାରେ ପୃଥକ ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଯାଇପାରିବେ। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ବିବାଦୀୟ ଭୋଜଶାଳା-କମଲ ମୌଲା ମସଜିଦ ସ୍ଥଳ ୧୯୫୮ ଆଇନ ଅନୁଯାୟୀ ଏକ ସଂରକ୍ଷିତ ସ୍ମାରକୀ। ଖଣ୍ଡପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଉପରେ ନିର୍ଭର କରିବାକୁ ମନା କରିଦେଇଥିଲେ ମଧ୍ୟ ଏଏସ୍ଆଇ ସ୍ମାରକୀର ସଂରକ୍ଷଣ ଓ ତଦାରଖ କ୍ଷମତା ବଜାୟ ରଖିବ ବୋଲି କହିଛନ୍ତି।



