ମଧ୍ୟପ୍ରାଚ୍ୟ ସଙ୍କଟ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ମିଳିତ ପ୍ରୟାସ ଉପରେ ଗୁରୁତ୍ବ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ଦିନକୁ ଦିନ ଅତି ଗମ୍ଭୀର ହେବାରେ ଲାଗିଛି। ସାରା ବିଶ୍ବରେ ଯୁଦ୍ଧର ପ୍ରଭାବ ପଡ଼ିଛି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଭାସୀ ବୈଠକ କରିଛନ୍ତି। ନିର୍ବାଚନ ଘୋଷଣା ହୋଇଥିବା ରାଜ୍ୟ (ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପଡୁଚେରୀ)ର ମୁଖ୍ୟମନ୍ତ୍ରୀମାନେ ଆଦର୍ଶ ଆଚରଣ ବିଧି କାରଣରୁ ବୈଠକରେ ଯୋଗ ଦେଇନଥିଲେ। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ସେହି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ ପୃଥକ ବୈଠକ ହେବ । ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟର ପ୍ରଭାବ ସମୀକ୍ଷା କରିବା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା।
ବୈଠକରେ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବାଧା ଯୋଗୁ ତୈଳ ଓ ଏଲ୍ପିଜି ଯୋଗାଣରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ଆଲୋଚନା ହୋଇଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ ମୂଲ୍ୟବୃଦ୍ଧିର ସମ୍ଭାବନା ଏବଂ ତାହା ରୋକିବାପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ହୋଇଥିବା ସହଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଙ୍କଟରେ ମଧ୍ୟ ଏକାଠି କାର୍ଯ୍ୟ କରି ଦେଶର ଅର୍ଥନୈତିକ ଗତିକୁ ବଜାୟ ରଖିବାକୁ ପଡ଼ିବ।



