ମୋଦୀ-ବାଲେନ ଭେଟ ଘାଟ , ୮ଟି ଚୁକ୍ତିନାମା ସ୍ୱାକ୍ଷରିତ

ମୋଦୀ-ବାଲେନ ଭେଟ ଘାଟ , ୮ଟି ଚୁକ୍ତିନାମା ସ୍ୱାକ୍ଷରିତ
Samaya Live News Picture
Published On

ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ । ପ୍ରଧାନମନ୍ତ୍ରୀ ହେବା ପରେ ୩୫ଜଣିଆ ପ୍ରତିନିଧି ଦଳ ସହ ପ୍ରଥମ ସରକାରୀ ଗସ୍ତରେ ଭାରତ ଆସିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ । ବାଲେନ୍ ଶାହଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ୮ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ବନ୍ୟା କ୍ଷତିଗ୍ରସ୍ତ ନେପାଳ ପାଇଁ  ୧୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦୀ । 

ସୋମବାର ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ସ୍ୱାକ୍ଷରିତ ବୁଝାମଣା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହାକାଶ ଗବେଷଣା, ନଗର ଉନ୍ନୟନ ଓ ପାରମ୍ପରିକ ଚିକିତ୍ସା ଭଳି କ୍ଷେତ୍ର ସାମିଲ ରହିଛି । ଏହାପରେ ଉଭୟ ନେତା ଅଯୋଧ୍ୟା-ଜନକପୁର ରେଳ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି ନେପାଳର ପୁନନିର୍ମାଣ ଓ ଦୀର୍ଘକାଳୀନ ବିକାଶ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍‌ ଘୋଷଣା କରିଥିଲେ । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଭାରତ ଆସିଥିବା ଶାହଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ, ବିଦେଶମନ୍ତ୍ରୀ ଶିଶିର ଖନାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଆଜିର ଆଲୋଚନାରେ ବାଣିଜ୍ୟ, ପୁଞ୍ଜିନିବେଶ, ଜଳବିଦ୍ୟୁତ୍, ରେଳ ସଂଯୋଗ, ସଡ଼କ ଓ ଭିତ୍ତିଭୂମି ବିକାଶ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।

ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍ ଘୋଷଣା କରିଛନ୍ତି । ଯାହାକି ଭାରତୀୟ ମୁଦ୍ରାରେ  ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ । ନେପାଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା, ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାରେ ଏହି ଅର୍ଥ ବ୍ୟବହାର ହେବ। ବନ୍ୟାରେ ଘରଦ୍ୱାର ଓ ଜୀବିକା ହରାଇଥିବା ଲୋକଙ୍କୁ ଏହା ସହାୟତା କରିବ ।

ମୋଦୀ କହିଛନ୍ତି ଯେ, ଭାରତ ଓ ନେପାଳ କେବଳ ପଡ଼ୋଶୀ ନୁହନ୍ତି, ବରଂ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଓ ବନ୍ଧୁତାର ଗଭୀର ସମ୍ପର୍କ ରହିଛି । ଉଭୟ ଦେଶର ଆକାଂକ୍ଷା ଓ ଆହ୍ୱାନ ସମାନ। କଠିନ ସମୟରେ ଭାରତ ସବୁବେଳେ ନେପାଳ ସହ ଛିଡ଼ା ହୋଇଛି । ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦୃଷ୍ଟିକୋଣ ଓ ଦେଶର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ମୋଦୀ ପ୍ରଶଂସା କରିଛନ୍ତି ।

Tags: