କେଦାରନାଥ ଧାମରେ ମୋବାଇଲ ମନା
ଉତ୍ତରାଖଣ୍ଡ : ଆସନ୍ତାକାଲି ଖୋଲିବାକୁ ଯାଉଛି ଉତ୍ତରାଖଣ୍ଡ ସ୍ଥିତ ବାବା କେଦାରନାଥ ଧାମର କପାଟ । ଏହାପୂର୍ବରୁ ମଙ୍ଗଳବାର ମନ୍ଦିର ପରିସରରେ ମୋବାଇଲ ବ୍ୟାନ୍ କରିଛି ମନ୍ଦିର କମିଟି । ମୋବାଇଲ ଫୋନ ନେଇ କେଦାରନାଥ ଯାଉଥିବା ଲୋକ ଏବେ କୌଣସି ପ୍ରକାରର ଫଟୋ ଉଠାଇପାରିବେ ନାହିଁ କି ରିଲ୍ କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଶାନ୍ତିପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଦର୍ଶନ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ସମସ୍ତ ଭକ୍ତଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି ।
୨୨ ଏପ୍ରିଲ ସକାଳ ୮ଟାରେ ଖୋଲିବ କେଦାରନାଥ ଧାମ କପାଟ । ଏହାପୂର୍ବରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଗୌରୀକୁଣ୍ଡରୁ ବାବା କେଦାରଙ୍କ ଡୋଲି ଯିବା ଆରମ୍ଭ ହୋଇଛି । କେଦାରନାଥ କପାଟ ଖୋଲିବା ବେଳକୁ ଶ୍ରଦ୍ଧାଳୁ ପହଞ୍ଚି ସାରିଥିବେ । ୨୨ ଏପ୍ରିଲରୁ ୧୧ ନଭେମ୍ବର ଯାଏଁ କେଦାରନାଥ କପାଟ ଖୋଲା ରହିବ ।
ମନ୍ଦିର ପରିସରରେ ମୋବାଇଲ ଫୋନ ନେବା, ଫଟୋ ଉଠାଇବା କିମ୍ବା ଭିଡିଓ କରିବା, ରିଲ୍ସ କରିବା ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଯଦି କୌଣସି ଶ୍ରଦ୍ଧାଳୁ ଏଭଳି କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ଥାନୀୟ ପୁଲିସ ଆଗାମୀ କେଦାରନାଥ ଯାତ୍ରା ସମୟରେ ଭକ୍ତମାନଙ୍କର ସୁଗମ ଏବଂ ନିରାପଦ ଗତିବିଧି ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଟ୍ରାଫିକ୍ ପରିଚାଳନା ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ଏବଂ ରାସ୍ତାରେ ଭିଡ଼ ଅଟକାଇବା ପାଇଁ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ମଧ୍ୟ ମନ୍ଦିର ସମିତି ଏହି ନିଷ୍ପତ୍ତି ନେଇଥିଲା । ମନ୍ଦିରକୁ ମୋବାଇଲ ଫୋନ ନେଇ ଯିବାକୁ ଅନୁମତି ମିଳିବ ନାହିଁ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ତରଫରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ରଖିବାର ବ୍ୟବସ୍ଥା କରାଯାଇଛି ।



