ମାତ୍ର ଖଣ୍ଡିଏ ଭୋଟରେ ନିର୍ବାଚନ ହାରିଗଲେ ମନ୍ତ୍ରୀ

ମାତ୍ର ଖଣ୍ଡିଏ ଭୋଟରେ ନିର୍ବାଚନ ହାରିଗଲେ ମନ୍ତ୍ରୀ
Samaya Live News Picture
Published On

ଚେନ୍ନାଇ : ଭାରତୀୟ ରାଜନୀତି ପାଇଁ ମେ' ୪ ତାରିଖ ଥିଲା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦିନ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନରେ ହୋଇଥିଲା ଜନାଦେଶ। ଆସାମରେ ବିଜେପି ହ୍ୟାଟ୍ରିକ କରିଥିବା ବେଳେ ବେଙ୍ଗଲ ,ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଜନାଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଆସାମ ପରେ ପଶ୍ଚିମବଙ୍ଗରେ ବି ବାଜିମାତ କରିଥିଲା ବିଜେପି । କେରଳମ୍‌ରେ ୫ ବର୍ଷ ପରେ ପୁଣି  ଫେରିଥିଲା କଂଗ୍ରେସ! ସେହିପରି ପୁଡୁଚେରୀରେ ଏନଆରସି ବାଜିମାତ କରିଥିଲା । ଏହାରି ମଧ୍ୟରେ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ଭୋଟ୍ ଦେଲା ନିର୍ଣ୍ଣାୟକ ନିଷ୍ପତ୍ତି। ମାତ୍ର ଗୋଟିଏ ଭୋଟ୍ ପାଇଁ ହାରିଯାଇଥିଲେ ଜଣେ ମନ୍ତ୍ରୀ । ଗୋଟିଏ ଭୋଟରେ ଡିଏମକେ ପ୍ରାର୍ଥୀ କେଆର ପେରିଆକାରୁପ୍ପାନଙ୍କୁ ପରାସ୍ତ କରିଛନ୍ତି ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେଥୁପତି । ଶ୍ରୀନିବାସ ସେତୁପତି ଏକ ଅତ୍ୟନ୍ତ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ତାମିଲନାଡୁ ଶିବଗଙ୍ଗା ଜିଲ୍ଲାର ତିରୁପଟ୍ଟୁ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେଥୁପତିଙ୍କୁ ୮୩ହଜାର ୩୭୫ଖଣ୍ଡ ଭୋଟ ମିଳିଥିବା ବେଳେ ଡିଏମକେ ପ୍ରାର୍ଥୀ କେଆର ପେରିଆକାରୁପ୍ପାନଙ୍କୁ ୮୩ହଜାର ୩୭୪ ଖଣ୍ଡଭୋଟ ମିଳିଥିଲା । କଡା ଟକ୍କର ମଧ୍ୟରେ ଭୋଟ ଗଣତି ଚାଲିଥିଲା ଗୋଟିଏ ରାଉଣ୍ଡରେ ଟିଭିକେ ଆଗକୁ ଚାଲିଯାଉଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ଡ଼ିଏମକେ ପ୍ରାର୍ଥୀ ଆଗକୁ ବଢ଼ୁଥାଆନ୍ତି । ମୋଟ ୩୦ଟି ରାଉଣ୍ଡ ଗଣତି ହେବାକୁ ଥାଏ । ୨୯ତମ ରାଉଣ୍ଡରେ ଡ଼ିଏମକେ ପ୍ରାର୍ଥୀ ୩୦ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଶେଷ ରାଉଣ୍ଡର ବାଜି ପଲଟି ଯାଇଥିଲା । ମାତ୍ର ଖଣ୍ଡିଏ ଭୋଟରେ ଡ଼ିଏମକେ ପ୍ରାର୍ଥୀଙ୍କ ଠାରୁ ଆସନ ଛଡାଇ ନେଇଥିଲେ ତିଭିକେ ପ୍ରାର୍ଥୀ ଶ୍ରୀନିବାସ ସେଥୁପତି । ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବରେ ୨୯୦୫୪ ଭୋଟ ପାଇଥିବା ତିରୁମରନ କେ.ସି. ଏହି ଆସନରେ ତୃତୀୟ ସ୍ଥାନରେ ଅଛନ୍ତି । 

Tags: