ପଞ୍ଜାବରେ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ଼; ୨ ଆହତ

ପଞ୍ଜାବରେ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ଼; ୨ ଆହତ
Samaya Live Desk Picture
Published On

ଚଣ୍ଡିଗଡ଼:  ପଞ୍ଜାବରେ ରହି କାମ କରୁଥିବା ଉତ୍ତର ପ୍ରଦେଶ ଓ ବିହାରର ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇରୁ ତିନିଜଣ ମୁଖାଧାରୀ ଦୁର୍ବୃତ୍ତ ଆକ୍ରମଣରେ ସାମିଲ ଥିବା ଜଣାପଡ଼ିଛି। ପଞ୍ଜାବର ମୋଗା ଜିଲ୍ଲାରେ ଶ୍ରମିକମାନେ କାମ କରି ଫେରୁଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଗୁଳିମାଡ଼ ଘଟଣା ପରେ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗତ କିଛି ମାସ ହେଲା ବାହାର ରାଜ୍ୟର ଲୋକମାନଙ୍କୁ ରାଜ୍ୟରୁ ବିତାଡ଼ିତ କରିବାକୁ ଏପରି ଉଦ୍ୟମ କରାଯାଉଛି। ମଙ୍ଗଳବାର ପୂର୍ବାହ୍ନରେ ଶ୍ରମିକମାନେ ରାଇସ୍‌ ମିଲ୍‌ରୁ ଫେରୁଥିବା ସମୟରେ ମୁଖାଧାରୀ କିଛି ଲୋକ ସେମାନଙ୍କ ଉପରକୁ ୩ରୁ ୪ ରାଉଣ୍ଡ ଗୁଳି କରିଥିବାବେଳେ ଦୁଇ ଜଣଙ୍କ ଦେହରେ ଗୁଳି ବାଜିଥିଲା। ଏହି ଗୁଳିକାଣ୍ଡ ପଛରେ ବମ୍ବିହା ଗୋଷ୍ଠୀର ହାତ ଥିବା କୁହାଯାଉଛି। ଆହତ ଶ୍ରମିକ ଅଶୋକ କୁମାର ଓ ସୁବୋଧଙ୍କ ଘର ଉତ୍ତର ପ୍ରଦେଶରେ। ଗୁଳି ସେମାନଙ୍କ ଗୋଡ଼ରେ ବାଜିଛି। ମୋଗା ସିଭିଲ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଏହାକୁ ପଞ୍ଜାବ ପୁଲିସ ଘୃଣା ସମ୍ବନ୍ଧିତ ଆକ୍ରମଣ ବୋଲି କହିଛି।  

Tags: