ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ଏହି ବିକଳ୍ପ ଇଚ୍ଛାଧୀନ

ଏହି ବିକଳ୍ପ ଇଚ୍ଛାଧୀନ,ଗ୍ରାହକ ନ ଚାହିଁଲେ ଏହା ଲାଗୁହେବ ନାହିଁ

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ଏହି ବିକଳ୍ପ ଇଚ୍ଛାଧୀନ
Samaya Live News Picture
Published On

ନୂଆଦିଲ୍ଲୀ : ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ମୁଣ୍ଡ ଟେକିଛି ବିବାଦ । ହ୍ୱାଟ୍ସଆପ୍‌ର ଆଗାମୀ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥାର ସୂଚନା ଅନୁଯାୟୀ, ଏହି ଫିଚର ପରିଚୟ ଠକେଇ ଓ ସାଇବର ଅପରାଧର ବିପଦକୁ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଫିଚରର ସୁରକ୍ଷା ଦିଗକୁ ଖୁବ୍‌ ଭଲଭାବେ ଯାଞ୍ଚ କରିବାକୁ ଯୋଜନା କରିଛନ୍ତି । 

ଏନେଇ ମେଟା ଦେଇଛି ସ୍ପଷ୍ଟୀକରଣ । ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି । ତେବେ ଏହା ଇଚ୍ଛାଧୀନ । ଗ୍ରାହକ ନ ଚାହିଁଲେ ଏହା ଲାଗୁହେବ ନାହିଁ । ଗ୍ରାହକଙ୍କ ପରିଚୟ ଏବଂ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ମେଟା ପକ୍ଷରୁ କୁହାଯାଇଛି । ମେଟା ମାଲିକାନାଧୀନ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ରେ ଆସୁଥିବା ଏହି ନୂତନ ଫିଚର ମାଧ୍ୟମରେ ବ୍ୟବହାରକାରୀମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ। ଏହା ଗୋପନୀୟତାକୁ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଉଥିଲେ ମଧ୍ୟ,ଏହାର ଅପବ୍ୟବହାରର ସମ୍ଭାବନାକୁ ନେଇ ଚିନ୍ତା ବଢ଼ିଛି । ସରକାରୀ ଅଧିକାରୀଙ୍କ ମତାନୁସାରେ, ଫୋନ୍ ନମ୍ବର ଲୁଚାଇବାର ସୁବିଧା ମିଳିଲେ ଠକମାନେ ଅନ୍ୟ ବ୍ୟକ୍ତିଙ୍କ ନାମରେ ନକଲି ୟୁଜରନେମ୍ କିମ୍ବା ପ୍ରୋଫାଇଲ୍ ସୃଷ୍ଟି କରି ସହଜରେ ଲୋକଙ୍କୁ ଠକିପାରନ୍ତି। ଏହା ଅନଲାଇନ୍ ପରିଚୟ ଠକେଇ ଓ ସାଇବର ଅପରାଧର ଘଟଣା ବୃଦ୍ଧି କରିପାରେ।

ଏସମ୍ପର୍କରେ କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଆଶଙ୍କାକୁ ଦୂର କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ଗ୍ରହଣ କରାଯାଇଛି । ମେଟା ଦାବି କରିଛି ଯେ ୟୁଜରନେମ୍ ଫିଚରରେ ପରିଚୟ ଚୋରି ଏବଂ ଅନଲାଇନ୍ ଠକେଇକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ଡିଜାଇନ୍ କରାଯାଇଥିବା ଅନେକ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି ।

ସୂଚନାନୁସାରେ, ହ୍ୱାଟ୍ସଆପ୍‌ର ନୂତନ ୟୁଜରନେମ୍ ଫିଚର ତିନି ଦିନ ପୂର୍ବରୁ ଲଞ୍ଚ କରାଯାଇଛି । କମ୍ପାନୀ ଜୁନ୍ ୨୯ ତାରିଖରୁ ସାରା ବିଶ୍ୱରେ ୟୁଜରନେମ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏହି ଫିଚର ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏକାଥରେ ଉପଲବ୍ଧ ହେବ ନାହିଁ। କମ୍ପାନୀ ପର୍ଯ୍ୟାୟକ୍ରମେ ଆଗାମୀ ମାସ ମଧ୍ୟରେ ବିଭିନ୍ନ ଦେଶରେ ଏହାକୁ ରୋଲ୍‌ଆଉଟ୍ କରିବ। ଯେଉଁ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ,ସେଠାକାର ୟୁଜରମାନେ ହ୍ୱାଟ୍ସଆପ୍ ଆପ୍‌ ମଧ୍ୟରେ ଏକ ବିଜ୍ଞପ୍ତି ପାଇବେ।

Tags: