ମଦୁରାଇରେ ୫୦ କୋଟିର ସୁନା, ହୀରା ଲୁଟ୍; ଲିଫ୍ଟ ଶାଫ୍ଟ ଦେଇ ଫେରାର ହେଲା ମୁଖାପିନ୍ଧା ଲୁଟେରା
ଚେନ୍ନାଇ: ରାତି ଅଧରେ ନୂଆ ଖୋଲିଥିବା ଗହଣା ଦୋକାନରେ ପଶିଲା ମୁଖାପିନ୍ଧା ଲୁଟେରା। ଆଖି ପିଛୁଳାକେ ଲୁଟି ନେଲା ପ୍ରାୟ ୫୦ କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର। ତାମିଲନାଡୁର ମଦୁରାଇସ୍ଥିତ ତାନିସ୍କ ସୋ’ ରୁମ୍ରେ ଘଟିଛି ଏଭଳି ଏକ ବଡ଼ ଧରଣର ଡକାୟତି। ଲିଫ୍ଟ ଲଗାଇବା ପାଇଁ ହୋଇଥିବା ଏକ ଖୋଲା ସ୍ଥାନ ଦେଇ ଦୋକାନ ଭିତରକୁ ପଶିଥିବା ଲୁଟେରା ଲୁଟ୍ ପରେ ସେହି ରାସ୍ତାରେ ଫେରାର ହୋଇଯାଇଛି। ଘଟଣାର ତଦନ୍ତ ପାଇଁ ପୁଲିସ ୯ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଗୁରୁବାର ସକାଳେ ସୋ’ ରୁମ୍ର କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିବା ପରେ ଗହଣା ଚୋରି ହୋଇଥିବା ଜଣାପଡ଼ିଥିଲା। ତୁରନ୍ତ ସେମାନେ ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ, ସୋ’ରୁମ୍ରେ ପ୍ରାୟ ୧୩ କିଲୋଗ୍ରାମ ସୁନା ଅଳଙ୍କାର ଏବଂ ୩ କିଲୋଗ୍ରାମ ହୀରା ଅଳଙ୍କାର ମହଜୁଦ ଥିଲା। ତେବେ ପ୍ରକୃତରେ କେତେ ପରିମାଣର ଗହଣା ଚୋରି ହୋଇଛି ଏବଂ ଏହାର ମୂଲ୍ୟ କେତେ, ତାହା ଜାଣିବା ପାଇଁ ଏବେ ହିସାବ ଚାଲିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଜଣେ କଳା ପୋଷାକ ପିନ୍ଧିଥିବା ଓ ମୁହଁରେ ମୁଖା ଲଗାଇଥିବା ବ୍ୟକ୍ତି ଶୋ’ରୁମ୍ରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଲିଫ୍ଟ ଲଗାଇବା କାମ ଚାଲିଥିବାରୁ ନିକଟରେ ଥିବା ଏକ ଖୋଲା ସ୍ଥାନ ଦେଇ ସେ ଭିତରକୁ ପଶିଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ ଲିଫ୍ଟ କାମରେ ବ୍ୟବହୃତ ଦଉଡ଼ିକୁ ସେ ଆଧାର କରିଥିବା ଅନୁମାନ କରାଯାଉଛି। ତିନି ମହଲା ବିଶିଷ୍ଟ ଏହି କୋଠାର ଉଦ୍ଘାଟନ ଗତ ଅକ୍ଟୋବର ୧୪ରେ ହୋଇଥିଲା। ତଳ ମହଲାରେ ବ୍ୟବସାୟ ଚାଲିଥିବାବେଳେ ଦ୍ୱିତୀୟ ମହଲା ଖାଲି ପଡ଼ିଥିଲା ଏବଂ ତୃତୀୟ ମହଲାରେ ଗହଣା ରଖିବା ପାଇଁ ଲକର୍ ଲଗାଇବା କାମ ଚାଲିଥିଲା। ଏଥିସହ ଲିଫ୍ଟ, ରଙ୍ଗ କାମ, ବିଦ୍ୟୁତ୍ ଓ ପ୍ଲମ୍ବିଂ କାମ ମଧ୍ୟ ଜାରି ରହିଥିଲା। କୋଠାର ପଛପଟେ ଲୁହାର ସ୍କାଫୋଲ୍ଡିଂ ମଧ୍ୟ ଲଗାଯାଇଥିଲା। ଲୁଟେରା ଏହାର ସହାୟତା ନେଇଥିବା ପୁଲିସ ସନ୍ଦେହ କରୁଛି। ଲୁଟେରାକୁ ଧରିବା ପାଇଁ ପୁଲିସ ୯ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ସୋରୁମ୍ ସମେତ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ରାତି ପ୍ରାୟ ୩ଟାରୁ ସେହି ଅଞ୍ଚଳ ଦେଇ ଯାଇଥିବା ଗାଡ଼ିଗୁଡ଼ିକର ତଥ୍ୟ ସଂଗ୍ରହ କରି ମାଲିକମାନଙ୍କୁ ପଚରାଉଚରା କରାଯାଉଛି। ଅଭିଯୁକ୍ତର ଫଟୋ ମଦୁରାଇର ବିଭିନ୍ନ ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ମୁତୟନ ପୁଲିସ କର୍ମଚାରୀଙ୍କୁ ଦିଆଯାଇଛି। ରେଳ ଷ୍ଟେସନ ନିକଟରେ ଶୋ’ରୁମ୍ ଥିବାରୁ ଅଭିଯୁକ୍ତ ଟ୍ରେନ୍ ଯୋଗେ କେରଳ କିମ୍ବା ଅନ୍ୟ ଉତ୍ତର ଭାରତୀୟ ରାଜ୍ୟକୁ ଖସିଯାଇଥିବା ଆଶଙ୍କାରେ ଯାଞ୍ଚ ଜୋରଦାର କରାଯାଇଛି। ଏହି ଲୁଟ୍ରେ ସୋ’ରୁମ୍ର ନିର୍ମାଣ, ଇଣ୍ଟେରିୟର ଡିଜାଇନ୍ କିମ୍ବା ଗହଣା ରଖିବା ପାଇଁ ଶୋ’କେସ୍ ତିଆରି କାମରେ ନିୟୋଜିତ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି। ଏହି କାମରେ ଉତ୍ତର ଭାରତର କେତେକ ଶ୍ରମିକ ନିୟୋଜିତ ଥିବାରୁ ସେମାନଙ୍କ ପରିଚୟ, ଅବସ୍ଥିତି ଓ ମୋବାଇଲ୍ ଫୋନ୍ ଲୋକେସନ୍ ଯାଞ୍ଚ ହେଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତାମିଲନାଡୁର ରାଜନୀତି ମଧ୍ୟ ସରଗରମ ହୋଇଛି। ଏଆଇଏଡିଏମ୍କେ ନେତା ଏଡାପ୍ପାଡି କେ. ପଲାନିସ୍ୱାମୀ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ସେ ଅଭିଯୋଗ କରିଛନ୍ତି।
Tags:




