ଗଣତନ୍ତ୍ର ଦିବସରେ ଭାରତକୁ ଅଭିନନ୍ଦନ ଜଣାଇଲା ଆମେରିକା

ଆମ ସମ୍ପର୍କ ଆହୁରି ନିବିଡ଼ ହେବ

ଗଣତନ୍ତ୍ର ଦିବସରେ ଭାରତକୁ ଅଭିନନ୍ଦନ ଜଣାଇଲା ଆମେରିକା
Samaya Live Desk Picture
Published On

ୱାସିଂଟନ:  ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଆଜି ଆମେରିକା ଭାରତକୁ ଅଭିନନ୍ଦନ ଜଣାଇଛି। ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ୭୭ତମ ଗଣତନ୍ତ୍ର ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତ-ଆମେରିକା ସହଭାଗୀତା ଓ କ୍ୱାଡ୍ ସହଯୋଗକୁ ଆହୁରି ମଜବୁତ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି। ବାଣିଜ୍ୟିକ  ଚୁକ୍ତି ଓ ଶୁଳ୍କକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ପ୍ରକାର ଦୁର୍ବଳ ହୋଇଯାଇଥିବାବେଳେ ଏହି ସମୟରେ  ରୁବିଓଙ୍କ ଏହି ଅଭିନନ୍ଦନ ବାର୍ତ୍ତା ଆସିଛି। ରୁବିଓ ଜାନୁଆରି ୨୬ ଗଣତନ୍ତ୍ର ଦିବସ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ ମାଧ୍ୟମରେ ପ୍ରକୃତ ଫଳାଫଳ ପ୍ରଦାନ କରୁଛି।

ମାର୍କୋ ରୁବିଓ ତାଙ୍କ ବାର୍ତ୍ତାରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ, ମୁଁ ଗଣତନ୍ତ୍ର ଦିବସରେ ଭାରତର ଜନସାଧାରଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି। ଦୁଇ ଦେଶର ଏକ ଐତିହାସିକ ସମ୍ପର୍କ ରହିଛି। ସେମାନେ ପ୍ରତିରକ୍ଷା, ଶକ୍ତି, ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଓ ନୂତନ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରୁଛନ୍ତି। ରୁବିଓ ଆଗାମୀ ବର୍ଷଗୁଡ଼ିକରେ ଭାରତ ସହିତ ସମ୍ପର୍କକୁ ଆହୁରି ନିବିଡ଼ କରିବା ଓ ସହଭାଗୀ ରଣନୈତିକ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି।

Tags: