ପଂଜାବରେ କଂଗ୍ରେସ ଦଳର ସାଂଗଠନିକ ପରିବର୍ତ୍ତନ

ପଂଜାବରେ କଂଗ୍ରେସ ଦଳର ସାଂଗଠନିକ ପରିବର୍ତ୍ତନ
Samaya Live Desk Picture
Published On

ଚଣ୍ଡିଗଡ଼: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ପଞ୍ଜାବରେ ଦଳର ସାଂଗଠନିକ ପରିବର୍ତ୍ତନ କରିଛି ଏବଂ ପଞ୍ଜାବ ପାଇଁ ଏକ ନୂଆ ଟିମ୍‌ ଘୋଷଣା କରିଛି। ଦଳ ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ପିପିସିସି ( ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି) ସଭାପତି ପଦରେ ବଜାୟ ରଖିଥିବା ବେଳେ ପ୍ରତାପ ସିଂହ ବଜୱା ମଧ୍ୟ ବିରୋଧୀ ଦଳ ନେତା ରହିଛନ୍ତି। ଦଳ ନିର୍ବାଚନ ସଂକ୍ରାନ୍ତ କମିଟିରେ ନୂଆ ନିଯୁକ୍ତି ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ବରିଷ୍ଠ ନେତା ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ବିଜୟ ଇନ୍ଦର ସିଙ୍ଗଲାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। କିନ୍ତୁ ଏହି ସମାନ ସମୟରେ ଜଣେ ବରିଷ୍ଠ ନେତା ବାଦ୍‌ ପଡ଼ିଛନ୍ତି ଏବଂ ସେ ହେଉଛନ୍ତି ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ। ଦଳରେ ଏତେବର୍ଷ ଧରି ନିଷ୍ଠାପର ଭାବେ ନିଜର ଦାୟିତ୍ବ ତୁଲାଇବା ସତ୍ତ୍ବେ ମନୀଷ ତିୱାରୀଙ୍କୁ ଏଭଳି ଅଣଦେଖା କରାଯିବା ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ କରି ତିୱାରୀ ଲେଖିଛନ୍ତି, ‘ଦକ୍ଷ ହେବା ସବୁଠାରୁ ବଡ଼ ତ୍ରୁଟି। ତିୱାରୀ କହିଛନ୍ତି, କଂଗ୍ରେସ ଦଳ ମୋତେ ଗତ ୪୬ ବର୍ଷ ମଧ୍ୟରେ ଅ‌ନେକ କିଛି ଦେଇଛି। ମୁଁ ମଧ୍ୟ ଦଳ ପାଇଁ ମୋ ଜୀବନ ସମର୍ପଣ କରିଦେଇଛି। କିନ୍ତୁ ଭାଗ୍ୟକୁ କିଏ ବଦଳାଇ ପାରିବ। ଯାହା ଘଟିବାର ଥିବା ତାହା ଘଟିବ। ‌ତେବେ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ତିୱାରୀ ଚଣ୍ଡିଗଡ଼ ସାଂସଦ ହୋଇଥିବାରୁ ତାଙ୍କୁ ପଞ୍ଜାବ ଟିମ୍‌ରେ ସାମିଲ କରାଯାଇନି। କିନ୍ତୁ ମନୀଷ ତିୱାରୀଙ୍କ ସୂତ୍ରରୁ ଏହି ଦାବିକୁ ଖଣ୍ଡନ କରି କୁହାଯାଇଛି ଯେ ଚଣ୍ଡିଗଡ଼ ହେଉଛି ପଞ୍ଜାବର ରାଜଧାନୀ ଏବଂ ଏହା ରାଜ୍ୟଠାରୁ ଭିନ୍ନ ବୋଲି କହିବା ଆଶ୍ଚର୍ଯ୍ୟଜନକ।

Tags: