ମୁମ୍ବାଇରେ ୧୫ ହଜାର ଲୋକଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର

ମୁମ୍ବାଇରେ ୧୫ ହଜାର ଲୋକଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର
Samaya Live Desk Picture
Published On
ମୁମ୍ବାଇ: ମୁମ୍ବାଇରେ ମହରମ ଶୋଭାଯାତ୍ରା ସମୟରେ ଘଟିବାକୁ ଥିବା ଏକ ଭୟଙ୍କର ଗଣହତ୍ୟା ଷଡ଼୍‌ଯନ୍ତ୍ର ପଣ୍ଡ ହୋଇଯାଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଏହି ଘଟଣାରେ ପୁଣେର ବିମାନ ନଗର ଅଞ୍ଚଳର ବାସିନ୍ଦା ଫୈୟାଜ ପ୍ରେମଜିକୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେ ପ୍ରାୟ ୧୫ ହଜାର ଲୋକଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ସ୍ବୀକାର କରିଛି। ପୁଲିସ ଅନୁଯାୟୀ ଫୈୟାଜ ଜିଙ୍କ୍ ଫସ୍‌ଫାଇଡ୍‌ ନାମକ ଅତ୍ୟନ୍ତ ବିଷାକ୍ତ ରସାୟନକୁ କ୍ୟାପସୁଲ୍‌ରେ ଭରି ମହରମ ଶୋଭାଯାତ୍ରା ସମୟରେ ଲୋକଙ୍କୁ ବଣ୍ଟନ କରୁଥିଲା। ସେ ଏହାକୁ ଭିଟାମିନ, ରୋଗପ୍ରତିରୋଧକ ଔଷଧ କିମ୍ବା ବେଦନାନାଶକ ବୋଲି କହି ଲୋକଙ୍କୁ ଖାଇବାକୁ ଦେଉଥିଲା। ଏକାକୀ ଏତେ ସଂଖ୍ୟକ କ୍ୟାପସୁଲ୍‌ ବଣ୍ଟନ କରିବା ସମ୍ଭବ ନ ହେବାରୁ ସେ କିଛି ସ୍ୱେଚ୍ଛାସେବକଙ୍କୁ ମଧ୍ୟ ଏହା ବାଣ୍ଟିବାକୁ କହିଥିଲା। ସେମାନେ ଏଗୁଡ଼ିକ ବିଷାକ୍ତ ବୋଲି ଜାଣିନଥିଲେ। କ୍ୟାପସୁଲ୍‌ ଖାଇବା ପରେ ଅତି କମ୍‌ରେ ୧୧ ଜଣ ଅସୁସ୍ଥ ହୋଇ ବାନ୍ତି ଓ ପେଟବ୍ୟଥାରେ ପୀଡ଼ିତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି। ତିନିଜଣ ମହିଳା ସ୍ୱେଚ୍ଛାସେବୀ ଫୈୟାଜର ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ପୁଲିସକୁ ଖବର ଦେବା ସହ ଲାଉଡସ୍ପିକରରେ ଲୋକଙ୍କୁ କ୍ୟାପସୁଲ୍‌ ନ ଖାଇବାକୁ ସଚେତନ କରିଥିଲେ। ଏହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ତଦନ୍ତରେ ଜଣାପଡ଼ିଛି ଯେ, ଫୈୟାଜ ପ୍ରାୟ ୧୫ ଦିନ ଧରି ଏହି ଯୋଜନାର ପ୍ରସ୍ତୁତି କରିଥିଲା। ସେ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଏକ ଘର ଭଡ଼ା ନେଇ ସେଠାରେ ୫୦ କିଲୋଗ୍ରାମ ଜିଙ୍କ୍ ଫସଫାଇଡ୍‌ ଓ ଅନଲାଇନ୍‌ରେ ମଗାଇଥିବା ୩୦ ହଜାର ଖାଲି କ୍ୟାପସୁଲ୍‌ରେ ବିଷ ଭରୁଥିଲା। ପ୍ରତ୍ୟେକ କ୍ୟାପସୁଲ୍‌ରେ ପ୍ରାୟ ୧ ଗ୍ରାମ ବିଷ ଭର୍ତ୍ତି କରାଯାଇଥିଲା। ପୁଲିସ ତା’ ନିକଟରୁ ପ୍ରାୟ ୧୫ ହଜାର ପ୍ରସ୍ତୁତ କ୍ୟାପସୁଲ୍‌ ଓ ବହୁ ପରିମାଣର ବିଷ ଜବତ କରିଛି। ତା’ର ଲକ୍ଷ୍ୟ ଥିଲା ସମୁଦାୟ ୩୦ ହଜାର କ୍ୟାପସୁଲ୍‌ ପ୍ରସ୍ତୁତ କରି ଶୋଭାଯାତ୍ରାରେ ବଣ୍ଟନ କରିବ।
ଫୈୟାଜ ପୁଣେରେ ପେଣ୍ଟିଂ ବ୍ୟବସାୟ କରେ। ତା’ ସ୍ତ୍ରୀକୁ ସେ ଛାଡ଼ପତ୍ର ଦେଇଛି। ତା’ ମା’ ଇରାନ ଓ ଭଉଣୀ ଇରାକରେ ରହୁଛନ୍ତି। ଗତ ୧୨ ମାସରେ ସେ ୧୯ ଥର ଇରାନ ଓ ଇରାକ ଗସ୍ତ କରିଥିବାରୁ ପୁଲିସ ତା’ର ବିଦେଶ ଯାତ୍ରା, ଆର୍ଥିକ କାରବାର, ମୋବାଇଲ୍‌ ରେକର୍ଡ ଓ ଡିଜିଟାଲ୍‌ ଯୋଗାଯୋଗର ତଦନ୍ତ କରୁଛି।
Tags: