ନୂଆ ରୂପରେ ମମତା

ନୂଆ ରୂପରେ ମମତା
Samaya Live News Picture
Published On

ପଶ୍ଚିମବଙ୍ଗର ରାଜନୀତି ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ହାଇକୋର୍ଟରେ ଜଣେ ଓକିଲ ଭାବେ ଉପସ୍ଥିତ ହୋଇ ନିର୍ବାଚନ ପରବର୍ତ୍ତୀ ହିଂସା ବିଷୟରେ ଦାଖଲ ହୋଇଥିବା ଆବେଦନର ପକ୍ଷରେ ଯୁକ୍ତି ରଖିଥିଲେ। କଳା କୋଟ୍ ପିନ୍ଧି ହାଇକୋର୍ଟରେ ପହଞ୍ଚିଥିବା ମମତାଙ୍କୁ ଦେଖି ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଥିଲା। ଏହି ଆବେଦନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ଯେ ନିର୍ବାଚନ ପରେ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିଛି ଏବଂ ବୁଲଡୋଜର କାର୍ୟ୍ୟ ନାମରେ ଲୋକଙ୍କୁ ଟାର୍ଗେଟ କରାଯାଉଛି। ମମତା ବାନାର୍ଜୀ କୋର୍ଟରେ କହିଥିଲେ ଯେ ମୁସଲମାନ ଓ ଦଳିତ ସମ୍ପ୍ରଦାୟଙ୍କୁ ବିଶେଷ ଭାବେ ଟାର୍ଗେଟ କରାଯାଉଛି ଏବଂ ତୃଣମୂଳ କଂଗ୍ରେସ କାର୍ୟ୍ୟାଳୟ ଭଙ୍ଗାଯାଉଛି। କିନ୍ତୁ ଶୁଣାଣି ଶେଷ ପରେ ହାଇକୋର୍ଟ ପରିସରରେ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଓକିଲ ମମତା ବାନାର୍ଜୀଙ୍କ ବିରୋଧରେ ସ୍ଲୋଗାନ ଦେଇ ତାଙ୍କୁ ଘେରି ଯାଇଥିବା ଅଭିଯୋଗ ହୋଇଛି। ଠେଲାପେଲା ଏବଂ ହଙ୍ଗାମା ମଧ୍ୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ବାହାର କରିଥିଲେ। ତୃଣମୂଳ କଂଗ୍ରେସ ଏହା ପଛରେ ବିଜେପି ସମର୍ଥକଙ୍କ ହାତ ଥିବା ଅଭିଯୋଗ କରିଛି। ତୃଣମୂଳ ନେତା କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ହଙ୍ଗାମା କରୁଥିବା କିଛି ବ୍ୟକ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକ ଥିଲେ। ଅନ୍ୟପଟେ ବିଜେପି ନେତାମାନେ ମମତାଙ୍କ ଅଭିଯୋଗକୁ ରାଜନୈତିକ ନାଟକ ବୋଲି କହିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ ୨୦୨୧ ନିର୍ବାଚନ ପରେ ହୋଇଥିବା ହିଂସାର ଅନେକ ଅଭିଯୋଗ ଆଗରୁ ମଧ୍ୟ ଉଠିଥିଲା ଏବଂ ସେଥିରେ ତୃଣମୂଳ କର୍ମୀଙ୍କ ନାମ ଆସିଥିଲା। ବିଜେପି ନେତୃତ୍ୱ କହିଛି ଯେ ବର୍ତ୍ତମାନ ସରକାର ଆଇନ ଅନୁଯାୟୀ ଅବୈଧ ଜବରଦଖଲ ଓ ବେଆଇନ ପଶୁ ହତ୍ୟା କରାଯାଉଥିବା ସ୍ଥାନ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉଛି।ଏହି ମଧ୍ୟରେ ପଶ୍ଚିମବଙ୍ଗ ସରକାର କିଛି ନୂତନ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲରେ ବନ୍ଦେ ମାତରମ୍ ଗୀତ ଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଅବୈଧ  ପଶୁ ହତ୍ୟା କରାଯାଉଥିବା ସ୍ଥାନ ବନ୍ଦ କରିବା ଏବଂ ପଶୁ ହତ୍ୟା ପୂର୍ବରୁ ଫିଟନେସ୍ ସର୍ଟିଫିକେଟ୍ ଆବଶ୍ୟକ କରାଯାଇଛି। ରାଜ୍ୟର ରାଜନୀତିକ ପରିସ୍ଥିତି ଏବେ ଆହୁରି ତିବ୍ର ହେଉଥିବା ବେଳେ, ହାଇକୋର୍ଟରେ ଘଟିଥିବା ଏହି ଘଟଣା ପଶ୍ଚିମବଙ୍ଗର ରାଜନୀତିକ ତାପମାତ୍ରାକୁ ଆହୁରି ବଢ଼ାଇଦେଇଛି।

Tags: